ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଦୁଇଟି ବାଘ ଯିବେ ମିଜୋରାମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଜୀବ ଆସିବା ସୂଚନା ମିଳିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଜୋରାମ ଆଇଜଲ ଚିଡିଆଖାନାର ଏକ ଟିମ୍ ଆସି ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମିଜୋରାମ ଚିଡିଆଖାନାରୁ ହୁଲୁକ ଗିବନ, ହିମାଳୟ ଧଳାଭାଲୁ ଓ ଭିକେଟଲ ମାଙ୍କଡ ଅଣାଯାଇ ଏହାର ପ୍ରତିବଦଳରେ ବାଘ, ମୟୂର ଓ ଚିତ୍ରାହରିଣ ପ୍ରଦାନ କରାଯିବ ।ପ୍ରାଣୀ ଉଦ୍ୟାନରୁ ଦୁଇଟି ବାଘ ଯିବେ । ବଦଳରେ ମିଜୋରାମ ଚିଡିଆଖାନାରୁ ହଳେ(ଅଣ୍ଡିରା, ମାଈ) ହୁଲୁକ ଗିବନ ଅଣାଯିବ ବୋଲି ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ପ୍ରାଣୀ ଉଦ୍ୟାନରେ ଥିବା ହୁଲୁକ ଗିବନର ୧୯୯୫ ମସିହାରେ ମୃତ୍ୟୁ ହୋଇଥିଲା । ସେବେଠାରୁ ପର୍ୟ୍ୟଟକ ନନ୍ଦନକାନନରେ ଆଉ ହୁଲୁକ ଗିବନକୁ ଦେଖି ପାରୁନଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିଡିଆଖାନାକୁ ଦେଇଥିବା ଅଦଳବଦଳ ପ୍ରକ୍ରିୟା ତାଲିକା ମଧ୍ୟରୁ କିଛିକୁ ଅନୁମୋଦନ ମିଳିସାରିଛି । କିଛି ଦିନ ମଧ୍ୟରେ ଦୁବାଇ ଚିଡିଆଖାନାକୁ ଦୁଇ ଜଳହସ୍ତୀ ଦିଆଯାଇ ସେଠାରୁ ହଳେ ଚିତା (ଅଣ୍ଡିରା,ମାଈ) ବାଘ ଆଣିବା ପାଇଁ ସୂଚନା ମିଳିଛି । ପ୍ରାଣୀ ଉଦ୍ୟାନରେ ଏବେ ଚିତା ରହିବା ପାଇଁ କର୍ତ୍ତୃପକ୍ଷ ଖୁଆଡ଼ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।




admin 