ରାହୁଲ ଗାନ୍ଧୀଙ୍କ ପାଇଁ ଏବେ କ’ଣ ହେବ?
ନୂଆଦିଲ୍ଲୀ: ଦୁଇବର୍ଷ ଦଣ୍ଡାଦେଶ ପରେ ଶୁକ୍ରବାର ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲେ। ଏହି ସୂଚନା ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି।୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ଏହା କୌଣସି ବଡ଼ ଝଟ୍କା ଠାରୁ କମ୍ ନୁହେଁ। ସମ୍ବିଧାନର ଧାରା ୧୦୨ (କ) ଏବଂ ଜନ ପ୍ରତିନିଧିତ୍ବ ଅଧିନିୟମ ୧୯୫୧ ର ଧାରା ୮(ଗ) ଅନୁସାରେ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ସାବ୍ୟସ୍ତ ହେବା ପରେ ସାଂସଦଙ୍କୁ ସଂସଦ ସଦସ୍ୟତା ଛାଡ଼ିବାକୁ ପଡ଼ିଛି। ନିୟମ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଦଣ୍ଡ ପାଇବା ପରେ ସେହି ଦିନ (୨୩ ମାର୍ଚ୍ଚ ୨୦୨୩) ରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ପର ଠାରୁ ସେ ୬ ବର୍ଷ ପର୍ୟ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ତେବେ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ ୩୦ଦିନର ସମୟ ରହିଛି। ସେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଏବଂ ପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ।
ରାହୁଲ ଗାନ୍ଧୀଙ୍କ ପାଇଁ ଏବେ କ’ଣ ହେବ?
ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି ପାଇଁ ଉପର କୋର୍ଟ (ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ) ଯିବାକୁ ପଡ଼ିବ।
ଯଦି ରାହୁଲ ଗାନ୍ଧୀଙ୍କୁ ଉପର ଅଦାଲତରୁ ଆଶ୍ବସ୍ତି ନମିଳେ, ତେବେ ସେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।
ଯଦି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରୁ କୌଣସି ଆଶ୍ବସ୍ତି ନମିଳେ, ତେବେ ରାହୁଲ ଗାନ୍ଧୀ ବିରୋଧୀ ଦଳର ମୁଖ୍ୟ ହୋଇପାରିବେ ନାହିଁ।
ଯଦି ରାହୁଲ ଗାନ୍ଧୀ ବିରୋଧୀଙ୍କ ମୁଖ୍ୟ ହେବାକୁ ସକ୍ଷମ ନୁହଁନ୍ତି, ତେବେ ବିରୋଧୀଙ୍କ ଏକତା ଗଭୀର ଭାବରେ ପ୍ରଭାବିତ ହେବ।
ଏଥି ସହିତ ବିରୋଧୀ ଏହାକୁ ଏକ ବଡ ପ୍ରସଙ୍ଗ କରିବାକୁ ଚେଷ୍ଟା କରିବେ।




admin 