ନାଲ୍କୋ ସିଏମ୍ଡ଼ି ନିଯୁକ୍ତି ପକ୍ରିୟା ଆରମ୍ଭରେ ବିଳମ୍ବ ; ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମାନସ ଚୌଧୁରୀ
ଭୁବନେଶ୍ୱର : ନାଲ୍କୋ ସିଏମ୍ଡ଼ି ନିଯୁକ୍ତି ପ୍ରକ୍ରିୟା ଆରମ୍ଭରେ ବିଳମ୍ବ ହେଉଥିବା ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ସମ୍ପାଦକ ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁୁ ଚିଠି ଲେଖିଛନ୍ତି। ସେ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନାଲ୍କୋର ସି.ଏମ୍.ଡ଼ି. ଶ୍ରୀଧର ପାତ୍ରଙ୍କର ଚାକିରୀକାଳ ଆଉ ମାତ୍ର ଦଶ ମାସ ରହିଛି। ମାତ୍ର ଏହି ପଦ ପୂରଣ ନେଇ ଏଯାଏ ପ୍ରକ୍ରିୟା ଆରମ୍ଭ ହୋଇନି। ପଦବୀର ପୂରଣ ପାଇଁ ବର୍ଷକ ପୂର୍ବରୁ କୌଣସି ନୋଟିସ୍ ଜାରି କରାଯାଇ ନାହିଁ। ଏଣୁ ଏହା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ନିୟମାବଳୀକୁ ଉଲ୍ଲଂଘନ କରୁଛି ବୋଲି ଶ୍ରୀ ଚୌଧୁରୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି। ନାଲ୍କୋର ସି.ଏମ୍.ଡ଼ି ଶ୍ରୀ ପାତ୍ରଙ୍କ ପ୍ରତି ସରକାର ଏତେ ଅନୁକମ୍ପା କ’ଣ ପାଇଁ ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି। ସମସ୍ତଙ୍କ ପାଇଁ ଗୋଟିଏ ଆଇନ୍ ଥିବାବେଳେ ଶ୍ରୀପାତ୍ରଙ୍କ ପାଇଁ ଏହା କାହିଁକି ଲାଗୁ ହେଉନାହିଁ । ନାଲ୍କୋରେ ହୋଇଥିବା ବିଭିନ୍ନ ଦୁର୍ନୀତିରେ ଶ୍ରୀ ପାତ୍ରଙ୍କ ସଂପୃକ୍ତିଙ୍କୁ ନେଇ ଆଗରୁ ଗଣମାଧ୍ୟମରେ ଅନେକ ସମ୍ବାଦ ପ୍ରକାଶିତ ହୋଇଛି । ଶ୍ରୀ ପାତ୍ରଙ୍କ ଦୁର୍ନୀତି ବିରୋଧରେ ରେ ସରକାରଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି। ମାତ୍ର ଆଜି ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ, ସରକାର ପ୍ରଚଳିତ ଆଇନ୍କୁ ଶ୍ରୀ ପାତ୍ରଙ୍କ କ୍ଷେତ୍ରରେ ଅନୁସରଣ କରୁନାହାନ୍ତି। ଅର୍ଥାତ ଶ୍ରୀପାତ୍ରଙ୍କ ପ୍ରତି ସରକାରଙ୍କର ଅହେତୁକ ଅନୁକମ୍ପା ରହିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଶ୍ରୀ ପାତ୍ର ଏବଂ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାରେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ବୋଲି ଗ୍ରହଣ କରାଯାଇଥିବା ନାଲ୍କୋରେ ହେଉଥିବା ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ନାଲ୍କୋ ସି.ଏମ୍.ଡ଼ି ନିଯୁକ୍ତି ପାଇଁ ତୁରନ୍ତ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହେବାକୁ ଶ୍ରୀ ଚୌଧୁରୀ ଦାବି କରିଛନ୍ତି।
ସୂଚନାଯାଗ୍ୟ ଯେ ଯେ କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ବୋର୍ଡ଼ସ୍ତରୀୟ ପଦରେ ନିଯୁକ୍ତି, ପରିବର୍ଦ୍ଧନ ଏବଂ କାଏମକରଣ ପାଇଁ ସ୍ୱତନ୍ତ୍ରଭାବେ ନିୟମ ଧାର୍ଯ୍ୟ ହୋଇଛି। ପବ୍ଲିକ୍ ଏଣ୍ଟର୍ପ୍ରାଇଜେସ୍ ସିଲେକ୍ସନ ବୋର୍ଡ଼ (ପି.ଇ.ଏସ୍.ବି)ର ସଚିବ ଡିଓ ପତ୍ର ସଂଖ୍ୟା ୧୩/୦୭/୨୦୧୦-ଇ.ଏସ୍.ଇ.ବି. ତା. ୧୩/୦୫/୨୦୧୧ ରେ ନିର୍ଦ୍ଦିଷ୍ଟ ଭାବେ ଅଫିସ୍ ମେମୋରାଣ୍ଡମ୍ରେ ଏ ସଂକ୍ରାନ୍ତରେ ନିୟମାବଳି ଜାରି କରିଛନ୍ତି। କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟର୍ପ୍ରାଇଜେସ୍ର ବୋର୍ଡ଼ସ୍ତରୀୟ ନିଯୁକ୍ତି କ୍ଷେତ୍ରରେ ଏହା କଡ଼ାକଡ଼ି ଭାବରେ ଅନୁସରଣ କରାଯାଏ। ଏଥିରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି କୌଣସି ବୋର୍ଡ଼ସ୍ତରୀୟ ପଦବୀ ଖାଲି ହେବାର ବର୍ଷକ ପୂର୍ବରୁ ପଦବୀର ପୂରଣ ନିମନ୍ତେ ପି.ଇ.ଏସ୍.ବି ସମସ୍ତ ପ୍ରକ୍ରିୟା ଆରମ୍ଭ କରିବେ । ସଂପୃକ୍ତ ମନ୍ତ୍ରଣାଳୟ ନିଜ ବିଭାଗରେ ଖାଲି ପଡ଼ୁଥିବା ପଦବୀ ପୂରଣ ପାଇଁ ଉପଯୁକ୍ତ ସମୟରେ ପି.ଇ.ଏସ୍.ବିକୁ ଜଣାଇବେ।




user2 