ବଡ଼ଖବର: ଦୁଇ ବିଧାୟକଙ୍କ ବିଧାୟକ ପଦ ରଦ୍ଦ
ଭୁବନେଶ୍ବର :ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସମ୍ବିଧାନର ନିୟମ ମୁତାବକ କାର୍ୟ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ ପ୍ରକାଶ ପାଇଛି।
ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ତଳେ ଦୁଇ ଜଣ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ । ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କ ନିକଟରୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ପିଟିସନର ଉତ୍ତର ଦେଇନଥିଲେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ।
ଯାହା ଫଳରେ ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ । ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି । ଯେଉଁଥି ପାଇଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏବେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡିଲା।




