ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ୟ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍, ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।
ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟିର ଫିଲଡ ଭିଜିଟ ଆରମ୍ଭ ହୋଇଥିଲା। ୫ଟି ସଚିବ ଭି କେ ପଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ବରିଷ୍ଠ ଅଧିକାରୀମାନେ। ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ ସଦସ୍ୟ। ଦ୍ୱେତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ ସହ ଆଲୋଚନା କରାଯାଇଛି। ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ସାମିଲ ହୋଇଥିଲେ। ପରେ ଟିମ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ।