୨୨ ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

୨୨ ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ଲିକେସନ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିଷେଧାଦେଶ ଜାରି କରିଛି । ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗ୍ରହଣ କରାଯାଇଥିବା କାର୍ୟ୍ୟାନୁଷ୍ଠାନ ଓ ପରବର୍ତ୍ତୀ ସମୟରେ ଛତିଶଗଡର ମହାଦେବ ବୁକ୍ ଉପରେ ହୋଇଥିବା ଚଢାଉ ପରେ କେନ୍ଦ୍ର ଏହି ବଡ ପଦକ୍ଷେପ ଗ୍ରହଣ କରିଛି । ଆଉ ଦିନକ ପରେ ଛତିଶଗଡରେ ଭୋଟିଂ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ଆପ ନିଷେଧାଦେଶ ଜାରି କରାଯାଇଛି । ମହାଦେବ ଆପର ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ ସରକାରର ସମ୍ପୃକ୍ତି ଅଭିଯୋଗରେ ତଦନ୍ତ ଜାରି ରହିଛି ।ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପ୍ରାୟ ୫ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଅସୀମ ଦାସ ନାମକ ଜଣେ ଏଜେଣ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ସଂସ୍ଥା । ବିଧାନସଭା ନିର୍ବାଚନ ଖର୍ଚ୍ଚ ପାଇଁ ମହାଦେବ ବେଟିଂ ଆପ୍ ଛତିଶଗଡର କଂଗ୍ରେସ ସରକାରକୁ ବିପୁଳ ଟଙ୍କା ପଠାଉଥିବା ଇଡି ଗୁଇନ୍ଦା ବିଭାଗ ମାଧ୍ୟମରେ ସୂଚନା ପାଇଥିଲା । ସୂଚନା ଆଧାରରେ ତଦନ୍ତକାରୀ ଏଜେନ୍ସି ଏକ ହୋଟେଲରେ ଚଢାଉ କରି ଅସୀମ ଦାସ ନାମକ ବ୍ୟକ୍ତିକୁ ଗିରଫ କରିବା ସହ ତା ନିକଟରୁ ପ୍ରାୟ ୫ କୋଟି ନଗଦ ଟଙ୍କା ଜବତ କରିଥିଲା । 

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟରେ ନିର୍ବାଚନୀ ରାଲିରେ ବଘେଲ ସରକାରକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିବା ସହ ଦୁବାଇ ଲିଙ୍କ ଥିବା କହିଥିଲେ । ଛତିଶଗଡରେ କଂଗ୍ରେସ ମହାଦେବଙ୍କ ନାମକୁ ମଧ୍ୟ ଛାଡିଲା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ମତଦାନର ମାତ୍ର ଦିନକ ପୂର୍ବରୁ କେନ୍ଦ୍ର ସରକାର ଏହି ଚର୍ଚ୍ଚିତ ମହାଦେବ ବେଟିଂ ଆପ ସମେତ ୨୨ଟି ଆପ୍ଲିକେସନ ଓ ଓ୍ବେବସାଇଟକୁ ବ୍ୟାନ ଘୋଷଣା କରିଛନ୍ତି ।