ପଳାତକ ଲୁଟିଛନ୍ତି ୪୦ ହଜାର କୋଟି

ପଳାତକ ଲୁଟିଛନ୍ତି ୪୦ ହଜାର କୋଟି

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡ଼ିକଠାରୁ କୋଟି କୋଟି ଟଙ୍କାର ଋଣ ନେବା ପରେ ତାହାକୁ ପରିଶୋଧ ନକରି ବିଦେଶ ଚାଲିଯାଇଥିବା ଲୋକଙ୍କ ତାଲିକାରେ ଲମ୍ବା ହେବାରେ ଲାଗିଛି। ଏଭଳି ୧୯ ଜଣ ବ୍ୟକ୍ତି ବ୍ୟାଙ୍କଗୁଡ଼ିକଠାରୁ ୪୦ ହଜାର କୋଟି ଟଙ୍କା ଲୁଟିନେଇଛନ୍ତି। ୨୦୧୮ରେ ଭାରତ ସରକାର ଘୋଷଣା କରିଥିବା ପତାଳକ ଅର୍ଥନୈତିକ ଅପରାଧୀ ଆଇନ ବଳରେ ସେମାନଙ୍କ ଭିତରୁ ୧୦ ଜଣ ଲୋକଙ୍କୁ କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ଅବଶ୍ୟ ସେମାନେ ଲୁଟିଥିବା ଏକ ତୃତୀୟାଂଶ ରାଶି ବ୍ୟାଙ୍କଗୁଡ଼ିକ ଫେରିପାଇବାରେ ସଫଳ ‌ହୋଇଛନ୍ତି। 

ଆଜି ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ବିଜୟ ମାଲ୍ୟା, ନିରବ ମୋଦୀ, ନିତୀନ ଜୟନ୍ତୀଲାଲ ସନ୍ଦସେରା, ଚେତନ ଜୟନ୍ତୀଲାଲ ସନ୍ଦସେରା, ଦୀପ୍ତି ଚେତନ ଜୟନ୍ତୀଲାଲ ସନ୍ଦସେରା, ହିତେଶ କୁମାର ନରେନ୍ଦ୍ରଭାଇ ପଟେଲ୍‌, ଜୁନୈଦ ଇକବାଲ୍ ମେମନ, ହାଜ୍‌ରା ଇକବାଲ୍ ମେମନ, ଆସିଫ୍ ଇକ୍‌ବାଲ୍‌ ମେମନ ଓ ରାମଚନ୍ଦ୍ରନ ବିଶ୍ବନାଥନଙ୍କୁ ଭାରତୀୟ କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି। ସେ କହିଛନ୍ତି ଦେଶ ଛାଡ଼ିଥିବା ମୋଟ ୧୯ ଜଣ ଅର୍ଥନୈତିକ ଅପରାଧୀଙ୍କଠାରୁ ୧୫, ୧୧୩ କୋଟି ଟଙ୍କା ବ୍ୟାଙ୍କ ପାଖକୁ ଫେରିଆସିଛି। ଏହା ବ୍ୟତୀତ ସେମାନଙ୍କ ୮୭୩.୭୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।