ଗଜପତିରେ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ

ଗଜପତିରେ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟର ବିକାଶରେ ସହଯୋଗ କରିବ ‘ଲକ୍ଷ୍ମୀ’ । ଆଜି ଗଜପତି ଜିଲ୍ଲାର ୭ ବ୍ଲକରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ଟି ବ୍ଲକରେ ସେବା ଯୋଗାଇବ ବସ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୩୬ଟି ବସ ଯୋଗାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌ରେ ବସ୍‌ ସେବା ମାଲକାନଗିରିରୁ ପ୍ରଥମ ପର୍ୟ୍ୟାୟରେ ଆରମ୍ଭ ହୋଇ ସାରିଛି।

ଏହି ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍‌ ସେବାର ସୁଯୋଗ ମିଳିବ। ଏଥିପାଇଁ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି।