ଦିନ ୯ଟା ସୁଦ୍ଧା ୯.୭୫% ମତଦାନ

ଦିନ ୯ଟା ସୁଦ୍ଧା ୯.୭୫% ମତଦାନ

ଝାରସୁଗୁଡା : ଆଜି ଭୋଟ ଦେଉଛି ଝାରସୁଗୁଡା । ଝାରସୁଗୁଡାର ମୁଖିଆ ବାଛୁଛନ୍ତି ସାଧାରଣ ଜନତା । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।  ଦିନ ୯ଟା ସୁଦ୍ଧା ୯.୭୫% ମତଦାନ ହୋଇଛି ।  ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ୱାଗତ କରାଯାଉଛି । ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି । ବିଭିନ୍ନ ବୁଥ୍‌ରେ ଧାଡିରେ ଭୋଟରମାନଙ୍କୁ ଛଡାଯାଉଛି । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ।

ଝାରସୁଗୁଡା ବାଜି ଜିତିବା ପାଇଁ ତିନି ପ୍ରମୁଖ ଦଳର ନେତା ଓ କର୍ମୀ କଳ ବଳ କୌଶଳ ସବୁ ଲଗାଇ ଦେଇଛନ୍ତି  । ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି  । କିପରି ଭୋଟ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିବ , ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି  । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି । ବଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି । ୨୫୩ଟି ବୁଥ୍‌ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥଗୁଡିକରେ ଭୋଟରଙ୍କ ପାଇଁ ସ୍କ୍ୱାସ୍‌ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି । କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି । ବୁଥ୍‌?କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ ମଧ୍ୟ ପ୍ରଦାନ କରାଯାଇଛି ।