ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ଏବଂ ଧର୍ମେନ୍ଦ୍ର
ଝାରସୁଗୁଡ଼ା: ରବିବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ହେବ ହାଇଭୋଲଟେଜ୍ ପ୍ରଚାର । ରବିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇବେ । ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଦୁଇ ଦିନ ସମୟ ବାକି ରହିଛି । ଦୁଇ ପ୍ରମୁଖ ଦଳର ପ୍ରଭାବୀ ପ୍ରଚାରକଙ୍କ ଦ୍ୱାରା ଝାରସୁଗୁଡ଼ାରେ ପ୍ରଚାର ନିର୍ବାଚନୀ ମାହୋଲକୁ ଅଧିକ ଉଷ୍ମ କରିବ ।
ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଗମନ ଦ୍ୱାରା ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହେବା ସହ ଦଳର ବିଜୟ ପାଇଁ ପୂରା ଦମ୍ ଦେଖାଇବେ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଠାରେ କେବଳ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି । ପ୍ରଚାର ଲାଗି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୩ଟା ୪୫ ମିନିଟ୍ରେ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନବନ୍ଦରରେ ୪ଟା ୩୦ ମିନିଟ୍ରେ ପହଞ୍ଚିବେ । ସେଠାରୁ ଜେଲ୍ ପାଖ ଅମଲିପାଲି ପଡ଼ିଆରେ ହେବାକୁ ଥିବା ସଭାସ୍ଥଳକୁ ଯାଇ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି ।
ଏହାପରେ ନବୀନ ପୁଣି ଝାରସୁଗୁଡ଼ା ବିମାନବନ୍ଦର ଦେଇ ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ୪ଟା ୩୦ରୁ ୫ଟା ୧୫ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହି ପ୍ରଚାର କରିବା ସହ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଲାଗି ଭୋଟ୍ ଭିକ୍ଷା କରିବେ । ସକାଳ ୧୦ଟା ୩୦ ମିନିଟ୍ରେ କୋଲାବିରା ବ୍ଲକ୍ରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଧର୍ମେନ୍ଦ୍ର । ଅପରାହ୍ନ ୪ଟାରେ ଝାରସୁଗୁଡ଼ା ସହର ବସ୍ଷ୍ଟାଣ୍ଡ୍ଠାରୁ ମଧ୍ୟ ସେ ରୋଡ୍ ସୋ’ କରିବେ ।




admin 