କର୍ପୋରେଟର ପାଇଁ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି

କର୍ପୋରେଟର ପାଇଁ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି

ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି । ଯେଉଁମାନେ ଦଳର ବଳ ଥିଲେ, ସେମାନେ ଏବେ ଦଳକୁ ଦୁର୍ବଳ କରି ଦେବେ । କିଏ ବିଭୀଷଣ କିଏ ରାବଣ ତାହା ସ୍ପଷ୍ଟ ହେବା ଆଗରୁ ଦଳ ଛାଡିବେ ବିଜେଡି ସେନା । ଆମେ କହୁଛୁ ଭୁବନେଶ୍ୱର ବିଜେଡି କଳି ସଂପର୍କରେ । ଦଳର ୨ ଯୁବ ନେତା ଅମରେଶ ଓ ବିରଂଚିଙ୍କ କଥା । ଯେଉଁମାନେ ଦଳର ସଂମ୍ପଦ ଥିଲେ ସେମାନେ ଏବେ ବିପତି ସାଜିଛନ୍ତି । ଫଳରେ ଏହି ୨ କର୍ପୋରେଟରଙ୍କୁ ଆସନ୍ତା ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଦଳ । 
ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି ଅମରେଶ-ବିରଂଚି ବନାମ ଅଶୋକ-ଅନନ୍ତ କଳି । ପାର୍ଟି ତରଫରୁ ଯେତେ ମ୍ୟାନେଜ କରିବା ପାଇଁ ଚେଷ୍ଟା ହେଲେ, ଏହା ହୋଇ ପାରୁନି । ସୋମବାର ଏକ ଗୁରୁତ୍ୱପୂଣ୍ଣ ଘଟଣା କ୍ରମରେ ଅମରେଶ ଜେନା, ବିରଂଚି ନାରାୟଣ ମହାସୁପକାରଙ୍କ ସମେତ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ବିବେକ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏମାନେ ଦଳ ବିରୋଧୀ କାଯ୍ୟ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ ଆସିବା ପରେ ଦଳ ଏପରି ନୋଟିସ୍ ଜାରି କରିଛି ।
ସେପଟେ ଅମରେଶ ଓ ବିରଂଚି ଦଳ ସୁପ୍ରିମୋଙ୍କ ଆଗରେ ପୂର୍ବରୁ ଅଭିଯୋଗ କରିଥିଲେ ଯେ ଭୁବନେଶ୍ୱର ଏକାମ୍ରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ନିର୍ବାଚନ ମଂଡଳୀର ବର୍ତମାନ ବିଧାୟକ ଅନନ୍ତ ଜେନା ବିଜେପି କ୍ୟାମ୍ପ ସହିତ ଭିତିରିଆ ସଂପର୍କ ରଖିଛନ୍ତି । ସେମାନେ ଖୁବ୍ ଶୀଘ୍ର ଦଳ ବଦଳ କରି ପାରନ୍ତି । ଏବଂ ଅନେକ କର୍ମୀ ଓ ନେତାଙ୍କୁ ନିଜ ସାଙ୍ଗରେ ବି ନେଇ ପାରନ୍ତି । ଅନ୍ୟପଟେ ଏକାମ୍ର ଓ ମଧ୍ୟର ଅନେକ କର୍ପୋରେଟର ନବୀନଙ୍କୁ ନିୟମିତ ଅଭିଯୋଗ କରି ଆସୁଥିଲେ ଯେ ଦଳୀୟ ବିଶୃଙ୍ଖଳା ଆଚରଣ ପାଇଁ ଅମରେଶ ଓ ବିରଂଚିଙ୍କ ଉପରେ କାଯ୍ୟାନୁଷ୍ଠାନ ନିଆଯାଉ । ଯଦି ଏହି ୨ ଜଣଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାଯ୍ୟାନୁଷ୍ଠାନ ନିଆ ନ ଯିବ ତାହେଲେ ପ୍ରାୟ ୨୨ ଜଣ କର୍ପୋରେଟର ଦଳରୁ ଇସ୍ତଫା ଦେବେ ।  ଏହା ସହ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ବ୍ୟାପୀ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ ନାହିଁ । ଏପରିକି ଏହି ୨୨ କର୍ପାରେଟର ଏକାଠି ହୋଇ ଏକ ବସରେ ସୋମବାର ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଏପରି ଏକ କାଳୀନ ଗସ୍ତ କରି ଏହି ୨୨ କର୍ପୋରେଟର ନିଜ ସଂଗଠନ ଓ ଏକତା ଦର୍ଶାଇବାକୁ ଚାହିଁଛନ୍ତି । ଯାହାକୁ ନେଇ ଦଳ ଟେନସନରେ । ଏହି ଝଗଡା କମାଇବା ପାଇଁ ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କୁ ଦାୟିତ୍ୱ ଦେଇଛି । ସୁଶାନ୍ତ ବି ଏହି ୨ ଜଣ ଯୁବ ନେତାଙ୍କୁ ଗଣ ମାଧ୍ୟମ ଆଗରେ ମୁହଁ ନ ଖୋଲିବା ପାଇଁ ଦଲୀୟ ହ୍ୱିପ୍ ଜାରି କରିଥିଲେ । ହେଲେ ଅମରେଶ ଓ ବିରଂଚି ଏହାକୁ ମାନିବାକୁ ନାରାଜ । 
ସେପଟେ ଅମରେଶ କହିଛନ୍ତି, ସେମାନେ କିଛି ଭୁଲ କରି ନହାନ୍ତି, ତାଙ୍କୁ ଜାରି ହୋଇଥିବା ନୋଟିସ୍‌ର ଉତର ସେ ଦଳ ଆଗରେ ନିଶ୍ଚୟ ରଖିବେ ।