ନାମ ପରିବର୍ତ୍ତନରେ ଖର୍ଚ୍ଚ ହେବ ୧୪,୦୦୦ କୋଟି
ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ ହେବ। ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରାଯିବ। ଏହାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯଦି ସେଭଳି କିଛି ଘଟିବ ତେବେ ଭାରତକୁ ୧୪ ହଜାର କୋଟି ଟଙ୍କା ମୂଲ୍ୟ ଦେବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାର ବୌଦ୍ଧିକ ସମ୍ପତ୍ତି ଆଇନଜୀବୀ ଡାରେନ୍ ଓଲିଭର ବିକାଶ କରିଥିବା ଏକ ପଦ୍ଧତି ଅନୁସାରେ ଏହି ହିସାବ କରାଯାଇଛି।
ଓଲିଭରଙ୍କ ମଡେଲ୍ ଅନୁସାରେ ଏକ ବଡ଼ ସଂସ୍ଥାର ହାରାହାରି ମାର୍କେଟିଂ ଖର୍ଚ୍ଚ ତାହାର ମୋଟ ରାଜସ୍ବର ପ୍ରାୟ ୬ ପ୍ରତିଶତ। ସେହି ମାର୍କେଟିଂ ଖର୍ଚ୍ଚର ୮ ପ୍ରତିଶତ ରାଶିକୁ ନାମ ବା ପରିଚୟ ପରିବର୍ତ୍ତନରେ ବ୍ୟବହାର କରାଯାଇଥାଏ। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ମୋଟ ରାଜସ୍ବ ପ୍ରାପ୍ତି ୨୩.୮୪ ଲକ୍ଷ କୋଟି ଟଙ୍କା ଥିଲା। ଯଦି ଓଲିଭର ବିକାଶ କରିଥିବା ମଡେଲ୍କୁ ଏଥିରେ ବ୍ୟବହାର କରାଯିବ ତେବେ ନାମ ପରିବର୍ତ୍ତନ ଲାଗି ଭାରତକୁ ୧୪,୦୩୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ଭାରତ ହେବାର ଆଶଙ୍କା ରହିଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜି୨୦ ନୈଶ୍ୟଭୋଜି ପାଇଁ ପଠାଯାଇଥିବା ନିୟନ୍ତ୍ରଣ ପତ୍ରରୁ ଜଣାପଡ଼ିଥିଲା। ସେଥିରେ ‘ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାଯାଇଥିଲା। ନାମ ପରିବର୍ତ୍ତନ ପଛରେ ରାଜନୀତି ମଧ୍ୟ ରହିଛି। କାରଣ ନିକଟରେ ବିରୋଧୀ ଦଳଗୁଡ଼ିକ ‘ଇଣ୍ଡିଆ’ ନାମରେ ମେଣ୍ଟ ଗଠନ କରିଛନ୍ତି। ତେଣୁ ଇଣ୍ଡିଆ ଶବ୍ଦକୁ ବ୍ୟବହାର ନକରିବା ଲାଗି ଜାଣିଶୁଣି ସରକାର ଦେଶର ନାମ ଭାରତକୁ ବଦଳାଇବାକୁ ଚାହୁଛନ୍ତି ବୋଲି ଚର୍ଚ୍ଚା ହେଉଛି।




admin 