ବିଶ୍ୱର ଗଭୀରତମ ହୋଟେଲ

ନୂଆଦିଲ୍ଲୀ : ୟୁନାଇଟେଡ଼ କିଙ୍ଗଡ଼ମ୍ ଭିକ୍ଟୋରିଆ ସ୍ଥିତ ଖଣି ଭିତରେ ଏକ ଅଭିନବ ହୋଟେଲ ଖୋଲାଯାଇଛି । ଭୂପୃଷ୍ଠରୁ ୪୨୦ ମିଟର ଗଭୀରତାରେ ପରିଚାଳିତ ଏହି ହୋଟେଲରେ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ଖଣି ଭିତରେ ରାତ୍ରିଯାପନର ନିଆରା ବିଳାସ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଅବଶ୍ୟ ହୋଟେଲରେ ଆତିଥ୍ୟ ଲଭିବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଥିପାଇଁ ବହୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ।ପ୍ରଥମେ ଜଣେ ପଥ ପଦର୍ଶକଙ୍କ ସହାୟତାରେ ପୁରୁଣା ଖଣିର ଲକ ପରିତ୍ୟକ୍ତ ପାହାଡ଼ ଅଂଚଳ ଅତିକ୍ରମ କରିବାକୁ ପଡ଼ିବ । ଘଂଟାକର ଏହି କଠିନ ଯାତ୍ରା ମଧ୍ୟରେ ପଥର ଖଣିର ପାହାଚ, ପୁରୁଣା ପୋଲ ଖସଡ଼ା ରାସ୍ତା ଆଦି ରହିଛି ।
ଅବଶ୍ୟ ସୁରକ୍ଷା ଦୃଷ୍ଟିରୁ ଆଗନ୍ତୁକଙ୍କୁ ହେଲମେଟ,ଟର୍ଚ୍ଚ, ଜୋତା ଆଦି ଯୋଗାଇଦିଆଯାଇଥାଏ । ଏହି ଅବସରରେ ତାଙ୍କ ସାଥିରେ ଥିବା ପ୍ରଦର୍ଶକ ଜଣକ ସଂପୃକ୍ତ ପରିବେଶ ବିଷୟରେ ଐତିହାସିକ ସୂଚନା ପ୍ରଦାନ କରିଥାନ୍ତି ।ଏକ ବିଶାଳ ଲୈାହଦ୍ୱାର ଯାତ୍ରାର ଅନ୍ତ ସହ ଇପ୍ସିତ ଶୟନ କକ୍ଷର ପ୍ରବେଶ ଦ୍ୱାରକୁ ସୂଚାଇଥାଏ ।
ହୋଟେଲ ଭିତରେ ପଶିଲେ ରାତ୍ରିଭୋଜନ ଓ ସକାଳେ ଜଳଖିଆ ଓ ଅନ୍ୟାନ୍ୟ ଆତିଥ୍ୟ ପ୍ରଦାନ କରାଯାଇଥାଏ । ସେହିପରି ସକାଳ ସାଢେ ଦଶଟା ସୁଦ୍ଧା ସେମାନଙ୍କୁ ଖଣି ଭିତରୁ ବାହାରି ପୁଣି କଠିନ ପଥରେ ଫେରିବାକୁ ହୋଇଥାଏ । ତେବେ ଏଠାରେ ଗୋଟିଏ ରାତିର ରହଣି ପାଇଁ ଜଣେ ଅତିଥିଙ୍କୁ ୩୫୦ ପାଉଣ୍ଡ ଏବଂ ଦୁଇଜଣଙ୍କ ଲାଗି ୫୫୦ ପାଉଣ୍ଡ ବା ପାଖାପାଖି ୫୭ ହଜାର ଟଙ୍କା ଦେବାକୁ ପଡ଼ିଥାଏ ।