ନିଯୁକ୍ତିକୁ ହାଇକୋର୍ଟଙ୍କ ଗୁରୁତ୍ବ ରିଜର୍ଭ ବ୍ୟାଙ୍କ ଅନୁମୋଦନରେ

ନିଯୁକ୍ତିକୁ ହାଇକୋର୍ଟଙ୍କ ଗୁରୁତ୍ବ ରିଜର୍ଭ ବ୍ୟାଙ୍କ ଅନୁମୋଦନରେ

କଟକ: ଯଦି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ) ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାବେ କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଏ ତେବେ ଏହି ପ୍ରସଂଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଅନୁମୋଦନ ଉପରେ ନିର୍ଭର କରିବ ବୋଲି ହଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏମଡି ନିଯୁକ୍ତି ସଂପର୍କିତ ମାମଲାରେ ୨୦୨୩ ଫେବ୍ରୁଆରି ୧୬ରେ ପ୍ରଦାନ କରାଯାଇଥିବା ଆଦେଶରେ ପରିବର୍ତ୍ତନ କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଆଜି ମାମଲାର ଶୁଣାଣି ସମୟରେ ବ୍ୟାଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଫେବ୍ରୁଆରି ୧୬ର ନିର୍ଦ୍ଦେଶ ପାଳନ କରି ଗୋପବନ୍ଧୁ ଶତପଥୀ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ଦାୟିତ୍ବ ହସ୍ତାନ୍ତର କରି ସାରିଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଯାହାକୁ ବି ଏମ୍‌ଡି ଭାବେ ନିଯୁକ୍ତି ଦିଆଯାଉ ତାହା କିନ୍ତୁ ଆଇନ ଅନୁସାରେ ହେବା ଆବଶ୍ୟକ। ଅନ୍ୟ ପ୍ରତିପକ୍ଷ ଦର୍ଶାଇଥିଲେ ଯେ ଆରବିଆଇ ଅନୁମୋଦନରେ ଏମଡି ପଦରେ ନିଯୁକ୍ତି ଦିଆଯିବା ଉଚିତ।

ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆରବିଆଇ ଅନୁମୋଦନରେ ବ୍ୟାଙ୍କ ଏମଡି ପଦରେ ନିଯୁକ୍ତି ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁମାଧବ ତ୍ରିପାଠୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।