ହେମୋଫିଲିଆ: ଜାଣନ୍ତୁ, କେତେ ମାରାତ୍ମକ ହୋଇପାରେ ଏ ରୋଗ ?
ଭୁବନେଶ୍ୱର: ହେମୋଫିଲିଆ ହେଉଛି ଏକ ଜିନ୍ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା କନ୍ୟା ସନ୍ତାନମାନେ ହେଉଛନ୍ତି ତ୍ରୁଟିଯୁକ୍ତ ଜିନ୍ର ବାହକ। ଏମାନଙ୍କଠାରେ ରୋଗଣା ଜିନ୍ ଥିଲେ ମଧ୍ୟ ଏମାନେ ଏହି ରୋଗ ଭୋଗି ନ ଥାନ୍ତି। ରୋଗ ଭୋଗିଥାଆନ୍ତି କେବଳ ପୁରୁଷ ବା ପୁତ୍ର ସନ୍ତାନମାନେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ‘ହେମୋଫିଲିଆ ଶବ୍ଦଟିରେ ରହିଛି ଦୁଇଟି ଅଂଶ, ଯଥା ‘ହେମୋ’ ଏବଂ ‘ଫିଲିଆ’। ‘ହେମୋ’ ଅର୍ଥ ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ପ୍ରବଣତା। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ।
ରୋଗକୁ ଚିହ୍ନିବ କିପରି: ପୁଅଟିଏ ଖେଳିବା ବେଳେ ସାମାନ୍ୟ ଖଣ୍ଡିଆ ଖାବରା ହୋଇପଡ଼ିଲେ କି ଦୁର୍ଘଟଣାଗ୍ରସ୍ତ ହେଲେ କ୍ଷତ ସ୍ଥାନରୁ ବହୁ ସମୟ ଧରି ରକ୍ତସ୍ରାବ ଚାଲିଥାଏ। ଦାନ୍ତ ଉପାଡ଼ିଲେ ମାଢ଼ିର ଉପୁଡ଼ା ଯାଇଥିବା ସ୍ଥାନରୁ ରକ୍ତ ଝରିବା ସହଜରେ ବନ୍ଦ ହୁଏ ନାହିଁ। ଛୋଟକାଟିଆ ଅପରେଶନ କଲାବେଳେ ମଧ୍ୟ ବହୁ ସମୟଧରି ରକ୍ତ ବୋହୁଥାଏ।
ମାଂସପେଶୀ ଭିତରକୁ ରକ୍ତସ୍ରାବ ହେଲେ ଜାତ ହୁଏ ପେଶୀ ଯନ୍ତ୍ରଣା ଏବଂ ଉଦର ଭିତରକୁ ରକ୍ତସ୍ରାବ ହେଲେ ହୁଏ ଉଦର ଯନ୍ତ୍ରଣା। ମସ୍ତିଷ୍କ ଭିତରକୁ ରକ୍ତସ୍ରାବ ହୋଇ ଷ୍ଟ୍ରୋକ୍ ବା ପାରାଲିସିସ୍ ହୋଇପାରେ। ନାକ, ପାଟି ଓ ଦାନ୍ତ ମାଢ଼ିରୁ ବି ରକ୍ତ ଝରିପାରେ। ରକ୍ତବାନ୍ତି ଓ କଳାଝାଡ଼ା ହେବା ସଙ୍ଗେ ସଙ୍ଗେ ଝାଡ଼ା ଓ ପରିସ୍ରାରେ ମଧ୍ୟ ରକ୍ତ ପଡ଼ିପାରେ।
ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା: ପିଲାଟି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ। ରୋଗୀଠାରେ ଫ୍ୟାକ୍ଟର VIIIର ଅଭାବ ଥିଲେ ‘ହେମୋଫିଲିଆ A’ ଏବଂ ଏବଂ ଫ୍ୟାକ୍ଟର IXର ଅଭାବ ଥିଲେ ‘ହେମୋଫିଲିଆ B’ ବୋଲି ନିର୍ଣ୍ଣୟ କରିବାରେ କୌଣସି ସନ୍ଦେହ ରହେ ନାହିଁ। ଏବେ ଗର୍ଭବତୀଙ୍କ ଗର୍ଭାଶୟରୁ ଜଳ ସଂଗ୍ରହ ଓ ସେହି ଜଳରେ ଥିବା ଜୀବକୋଷର ଜିନ୍ ପରୀକ୍ଷା କରି ଗର୍ଭସ୍ଥ ଶିଶୁ ରୋଗୀ କି ବାହକ ତାହା ଜାଣିହେଉଛି। ଏପରି କି ଗର୍ଭସ୍ଥ ଶିଶୁ ପାଞ୍ଚ ବର୍ଷ ଏକ ମାସ ହୋଇଯାଇଥିଲେ ତା’ଠାରୁ ରକ୍ତ ସଂଗ୍ରହ କରି ସେହି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ଚିହ୍ନଟ କରିବା ସମ୍ଭବ।
ଚିକିତ୍ସା: ହେମୋଫିଲିଆର ପ୍ରକାରକୁ ଚାହିଁ ରୋଗୀର ଶିରାବାଟେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IXର ଇଞ୍ଜେକଶନ ଦେଇ ଚିକିତ୍ସା କରାଯାଉଛି। ଆମ ଦେଶର କେତେକ ରାଜ୍ୟ ସରକାର ହେମୋଫିଲିଆ ରୋଗୀଙ୍କର ଫ୍ୟାକ୍ଟର VIII ଏବଂ ଫ୍ୟାକ୍ଟର IX ଇଞ୍ଜେକଶନ ମାଗଣାରେ ଯୋଗାଇ ଦେଉଛନ୍ତି। ଏବେ ମଧ୍ୟ ହେମୋଫିଲିଆ ରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟାନ୍ୟ ଔଷଧମାନ ମିଳିଲାଣି। ଜିନ୍ ଚିକିତ୍ସାର ମଧ୍ୟ ସୁଫଳ ମିଳୁଥିବା ପ୍ରକାଶ। ରୋଗୀଠାରେ ଗଣ୍ଠି ବିକୃତି ପ୍ରକାଶ ପାଇଥିଲେ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ମଧ୍ୟ ଲୋଡ଼ା।
ନିବାରଣମୂଳକ ବ୍ୟବସ୍ଥା: ରୋଗୀ ଯେପରି ଆଘାତ ପାଇ କ୍ଷତବିକ୍ଷତ ନ ହୁଅନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ରୋଗୀ ଖେଳାଖେଳି, ଓଜନିଆ ଜିନିଷ ଉଠାଇବା ସମୟରେ, ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ। ଏମାନେ ଦାନ୍ତ ଘଷିବା ସମୟରେ ନରମ ବ୍ରଶ ବ୍ୟବହାର କରନ୍ତୁ। ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡ଼ିଥାଏ। ତେଣୁ ସେ ଯେପରି ହେପାଟାଇଟିସ୍-ବି ଏବଂ ହେପାଟାଇଟିସ-ସି ତଥା ଏଚଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ନଜର ଦିଅନ୍ତୁ।




admin 