ହଳଦୀ ପାଣି ଅନେକ ରୋଗରୁ ରକ୍ଷା କରିଥାଏ

ହଳଦୀ ପାଣି ଅନେକ ରୋଗରୁ ରକ୍ଷା କରିଥାଏ

ହଳଦୀ ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ନିୟମିତ ସକାଳେ ଏକ କପ୍‌ ହଳଦୀ ପାଣି ପିଅନ୍ତି, ତେବେ ଶରୀରର ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯିବ । ମଧୁମେହ ଠାରୁ ଆରମ୍ଭ କରି ତ୍ୱଚା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରହିଛି ଏହାର ସକାରାତ୍ମକ ପ୍ରଭାବ । ହଳଦୀରେ ଆଇରନ୍‌, କପର, ପ୍ରୋଟିନ୍‌, ଫାଇବର୍‌ ଓ ଭିଟାମିନ-ସି ପରି ପୋଷକ ତତ୍ତ୍ୱ ରହିଛି । ଔଷଧୀୟ ଗୁଣରେ ଭରା ହଳଦୀ ଖାଦ୍ୟର ରଙ୍ଗ ଓ ସ୍ୱାଦକୁ ବଢାଇଥାଏ । ଏହି ମସଲାର ଉପଯୋଗ କେବଳ ଖାଦ୍ୟରେ ନୁହେଁ, ବରଂ ଅନେକ ଶାରିରୀକ ସମସ୍ୟାକୁ ସମାଧାନ କରିଥାଏ । ଆୟୁର୍ବେଦରେ ହଳଦୀ ଅନେକ ଔଷଧ ତିଆରି ପାଇଁ ବ୍ୟବହାର ହୋଇଥାଏ । ଯଦି ନିୟମିତ ଖାଲି ପେଟରେ ହଳଦୀ ପାଣି ପିଅନ୍ତି, ତେବେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । 

ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିଥାଏ । ଫଳରେ ଅନେକ ପ୍ରକାରର ସଂକ୍ରମଣ ଓ ରୋଗରୁ ରକ୍ଷା ମିଳିଥାଏ । ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନିୟମିତ ହଳଦୀ ପାଣି ପିଇବା ଉଚିତ୍‌ । ପୋଷକ ତତ୍ତ୍ୱରେ ଭରା ହଳଦୀ ପାଚନ ତନ୍ତ୍ର ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନ ତନ୍ତ୍ରକୁ ସୁଧାରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ପେଟରେ ଥିବା ପ୍ରାୟ ସମସ୍ୟାର ସମାଧାନ ହୋଇଥାଏ । 

ହଳଦୀରେ ଥିବା କରକ୍ୟୁମିନ୍‌ ହୃଦୟ ସ୍ୱାସ୍ଥ୍ୟକୁ ସୁଧାରି ଥାଏ । ସେହିପରି ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ହୃଦୟ ରୋଗକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ହୃଦୟ ଫିଟ୍‌ ରହିଥାଏ । ଯେଉଁ ଲୋକଙ୍କୁ ମଧୁମେହ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ହଳଦୀ ପାଣି ରାମବାଣ ପରି କାମ କରିଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ସାମାନ୍ୟ ରଖିଥାଏ । ଏଥିରେ ଥିବା କର୍‌କ୍ୟୁମିନ୍‌ ମଧୁମେହ ଆଶଙ୍କାକୁ କମ୍‌ କରିଥାଏ ।