ବନ କର୍ମଚାରୀଙ୍କୁ ମିଳିଲା ଗୁଳି ଚାଳନାର ଅନୁମତି

ବନ କର୍ମଚାରୀଙ୍କୁ ମିଳିଲା ଗୁଳି ଚାଳନାର ଅନୁମତି

ଭୁବନେଶ୍ୱର: ରାଜ୍ୟର ବନ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାର ଅନୁମତି ଦେଇଛନ୍ତି । ଏହାସହିତ ଏଭଳି ପ୍ରତ୍ୟେକ ଗୁଳି ଚଳାଇବା ଘଟଣାର ତଦନ୍ତ ସ୍ଥାନୀୟ କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ ଓ ତ୍ରୁଟି ଥିଲେ ସମ୍ପୃକ୍ତ କର୍ମଚାରୀଙ୍କୁ ପୁଲିସ ଗିରଫ କରିପାରିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ବନ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ବ୍ୟକ୍ତ ସହ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯିବା ପରେ ରାଜ୍ୟ ସରକାର ଏଭଳି ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ  ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମରେ ରାଜ୍ୟ ସରକାର ସଂରକ୍ଷିତ ଜଙ୍ଗଲ ସମ୍ପତ୍ତିର ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ବନ କର୍ମଚାରୀମାନଙ୍କୁ ଗୁଳି ସହ ବନ୍ଧୁକ(ଆଗ୍ନେୟାସ୍ତ୍ରର ଉପଯୋଗ) ଦେବାକୁ ଘୋଷଣା କରିଛନ୍ତି । ତେବେ ଦାୟିତ୍ୱ ଓ କର୍ତ୍ତବ୍ୟ ର୍ନିବାହବେଳେ ବନ କର୍ମଚାରୀମାନଙ୍କୁ ବିଭିନ୍ନ ଅପରାଧିକ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ସେଥିପାଇଁ ପୂର୍ବ ଅନୁମତି ବିନା ସେମାନଙ୍କୁ ଆଗ୍ନେୟାସ୍ତ୍ରର ଉପଯୋଗ କରିବାର ଅନୁମତି ଦେବାର ବି ଆବଶ୍ୟକତା ରହିଛି ।ବନ କର୍ମଚାରୀମାନେ ଯେତେବେଳେ କୌଣସି କାରଣରୁ ଗୁଳି ଚଳାଇବେ ତା’ର ତଦନ୍ତ ନିଶ୍ଚିତ ଭାବେ ସ୍ଥାନୀୟ ଏକଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ । ଯଦି ତଦନ୍ତରେ କୌଣସି ଅପରାଧିକ ଦିଗ ଆସେ, ତା’ହେଲେ ସମ୍ପୃକ୍ତ ବନ କର୍ମଚାରୀଙ୍କୁ ପୁଲିସ ଗିରଫ କରିପାରିବ । ଆଉ ଗୁଳି ଚଳାଇବା ଅନାବଶ୍ୟକ ଓ ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପାଇଁ ହୋଇଥିଲା ବୋଲି ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ଦେବାକୁ ପଡ଼ିବ, ଯେଉଁ ରିପୋର୍ଟକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରିବେ ବୋଲି ଏହି ବିଜ୍ଞପ୍ତିରେ ଉଳ୍ଲେଖ ରହିଛି ।