ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ: ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳଗୁଡ଼ିକୁ ନେଇ ହୋଇଥିବା ମେଣ୍ଟ “ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ୨୦ ଜଣ ସାଂସଦ ଏହି ପ୍ରତିନିଧି ମଣ୍ଡଳରେ ରହିବେ ବୋଲି ଜଣାପଡ଼ିଛି । ଦୁଇ ଦିନିଆ ଗସ୍ତରେ ଯାଉଛି ଏହି ପ୍ରତିନିଧି ମଣ୍ଡଳୀ । ମଣିପୁର ରାଜ୍ୟପାଳଙ୍କୁ ମଧ୍ୟ ଏହି ପ୍ରତିନିଧି ଦଳ ସାକ୍ଷାତ କରିବ ।
ବିରୋଧୀ ପକ୍ଷର ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ସଂସଦ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବ । ମଣିପୁରରେ ମେ’ ମାସରୁ ହିଂସା ଜାରି ରହିଛି । କୁକି ଓ ମୈତେୟୀ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏଯାଏଁ ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ୫୦ ହଜାରରୁ ଅଧିକ ଘର ଛାଡ଼ି ସାରିଲେଣି ।
ନିକଟରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭଳି ଲଜ୍ଜାଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲାଗିପଡ଼ିଛନ୍ତି । ହେଲେ ଏବେବି ସେଠାରେ ଅଶାନ୍ତି ଜାରି ରହିଛି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହୋହଲ୍ଲା ଚାଲିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ଦାବି କରିଆସୁଛନ୍ତି ବିରୋଧୀ ।