ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର:ବର୍ଷା ଆରମ୍ଭରୁ ଡେଙ୍ଗୁ ଭଳି ଆଖିଧରା ରୋଗ ଆଉ ଏକ ଚିନ୍ତା ଆଣିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ଜଣଙ୍କ ମଧ୍ୟରୁ ୩ରୁ ୪ଜଣ ଆଖିଧରା ରୋଗରେ ସଂକ୍ରମିତ ହେଉଛନ୍ତି। ବିଶେଷକରି ପିଲା ଓ ବୟସ୍କଙ୍କୁ ଅଧିକ ଆକ୍ରାନ୍ତ କରୁଛି। ଏବେ ସ୍କୁଲ୍ଗୁଡିକରେ ଆଖିଧରା ଅଧିକ ବ୍ୟାପୁଥିବାରୁ ଓ ଛାତ୍ରୀଛାତ୍ର ପ୍ରଭାବିତ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ବ୍ୟକ୍ତିମାନେ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି ସେମାନେ ଘରେ ଅନ୍ୟମାନଙ୍କଠାରୁ ଦୂରରେ ରୁହନ୍ତୁ। ଛାତ୍ରୀଛାତ୍ରଙ୍କ ଆଖି ଧରିଲେ ସେମାନେ ସ୍କୁଲ୍ ଯାଆନ୍ତୁ ନାହିଁ। ଆଖିଧରା ଛାତ୍ରୀଛାତ୍ର ୩ରୁ ୪ଦିନ ସ୍କୁଲ ବଦଳରେ ଘରେ ରହିବା ସହ ହାତ ଓ ଆଖିକୁ ଭଲ ଭାବରେ ପରିଷ୍କାର ରଖନ୍ତୁ। ଯେହେତୁ ଏହା ଏକ ଋତୁକାଳୀନ ଓ ସଂକ୍ରମଣ ରୋଗ, ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।