ଓଡ଼ିଶାରେ ୨୮ ବିଧାନସଭା ପାଇଁ ନାମାଙ୍କନ ସରିଲା। ୨୬୬ ପ୍ରାର୍ଥୀ କରିଛନ୍ତି ନାମାଙ୍କନ ପତ୍ର ଦାଖଲ। ମେ’ ୧୩ରେ ହେବ ଭୋଟ ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ଗୁରୁବାର ଦିନ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ଅଧିନରେ ଥିବା ୨୮ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଏହି ୨୮ ବିଧାନସଭା ଆସନ ପାଇଁ ମୋଟ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ ଏହାଯେ ବ୍ରହ୍ମପୁର ବିଧାନସଭା ଆସନରେ ସର୍ବାଧିକ ୨୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ଝରିଗାଁ ଓ ଡାବୁଗାଁରେ ୩ ଜଣ ଲେଖାଏଁ ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନପତ୍ର।
ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହାପରେ ଏହି ୨୮ ଆସନରେ କେତେ ଜଣ ପ୍ରାର୍ଥୀ ଲଢେଇ ମୈଦାନରେ ରହିବେ ତାହା ସ୍ପଷ୍ଟ ହେବ । ଆସନ୍ତା ମେ’ ୧୩ରେ ଏହି ୨୮ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ ।