ଅପରାଜିତାଙ୍କ ମାଷ୍ଟ୍ରରଷ୍ଟ୍ରୋକ

ଅପରାଜିତାଙ୍କ ମାଷ୍ଟ୍ରରଷ୍ଟ୍ରୋକ

ଅପରାଜିତାଙ୍କ ମାଷ୍ଟ୍ରରଷ୍ଟ୍ରୋକ
ଭୁବନେଶ୍ୱର : ଅପରାଜିତାଙ୍କ ମାଷ୍ଟରଷ୍ଟ୍ରୋକ ପରେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି ବିଜେପିର ବିଦ୍ରୋହୀ ନେତା । ଅପରାଜିତାଙ୍କ ବିରୋଧରେ କେତେକ ବିଜେପି ନେତା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟରେ ଫେରାଦ ହେବା ପରେ ଆଗଧାଡ଼ିର ନେତାମାନଙ୍କୁ ନିଜ ଟିମରେ ସାମିଲ କରି ନିଜର ଦବଦବା ଜାହିର କରିଛନ୍ତି ଅପରାଜିତା । ଯାହା ଏବେ ବିଜେପି ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି । ଜୁନ ୩୦ରେ ଅପରାଜିତାଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ଅଭିଯୋଗ କରିଥିଲେ । ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ଲେଟର ପ୍ୟାଡ଼ରେ ଅଭିଯୋଗ ହୋଇଥିବାରୁ ଏଥିରେ ହରେକୃଷ୍ଣଙ୍କ ସହମତି ଥିବା ସ୍ପଷ୍ଟ ହୋଇଯାଇଛି । ଅପରାଜିତା ଦଳୀୟ ବ୍ୟବସ୍ଥାକୁ ଅବମାନନା କରି ‘ଟିମ ଅପରାଜିତା’ ନାମରେ ଅପରାଧିକ ତତ୍ୱମାନଙ୍କୁ ସାମିଲ କରିଛନ୍ତି । ନିଜ କାର୍ଯ୍ୟାଳୟ ମାଧ୍ୟମରେ ବିଜେପି ସଂଗଠନ ପରିଚାଳନା କରୁଛନ୍ତି । ନିଜ ବ୍ୟାନରରେ ରାଜ୍ୟ ଓ ଜିଲ୍ଳା ନେତୃବୃନ୍ଦଙ୍କୁ ସ୍ଥାନ ଦେଉନଥିବା ବେଳେ ଦଳୀୟ କାର୍ଯ୍ୟକର୍ତାଙ୍କୁ କିରାଣୀ ଭଳି ବ୍ୟବହାର କରୁଛନ୍ତି । ଏମିତିକି କାର୍ଯ୍ୟକର୍ତମାନଙ୍କୁ ବିଏମସି ନିର୍ବାଚନ ପାଇଁ ଟିକେଟ ଦେବେନାହିଁ ବୋଲି ଭୟ ଦେଖାଉଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ତେବେ ଅଗଷ୍ଟରେ ଅପରାଜିତା ମାଷ୍ଟରଷ୍ଟ୍ରୋକ ଦେଇଥିଲେ । ନିଜ ସାଂସଦ ପ୍ରତିନିଧି ଭାବେ ସେ ଭୁବନେଶ୍ୱର ଲୋକସଭା ଅଧିନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀମାନଙ୍କୁ ସାମିଲ କରିଛନ୍ତି । ଫଳରେ ଅପରାଜିତାଙ୍କ ସହ ବହୁ ନେତା ଅଛନ୍ତି ବୋଲି ସେ ବାର୍ତା ଦେବାରେ ସଫଳ ହୋଇଛନ୍ତି । ଯାହା ଏବେ ବିଦ୍ରୋହୀଙ୍କ ଅଡୁଆ ବଢ଼ାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି । ଭୁବନେଶ୍ୱରରେ ଅପରାଜିତା ନିଜର ଦବଦବା ଜାହିର କରୁଥିବାବେଳେ ଆଗକୁ ବିଜେପି ରାଜନୀତି କି ମୋଡ଼ ନେବ ତାହା ଉପରେ ସ୍ୱାଭାବିକ ଭାବେ ସମସ୍ତଙ୍କ ନିଘା ରହିଛି ।