ଆଜି ଘୋଷଣା ହେବ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ। ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏବଂ ନବ ନିଯୁକ୍ତ ୨ ନିର୍ବାଚନ କମିଶନର (ଇସି) ଜ୍ଞାନେଶ କୁମାର ଓ ସୁଖବୀର ସିଂ ସନ୍ଧୁ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ। ଏନେଇ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା ଦିଆଯାଇଛି। ବର୍ତ୍ତମାନର ଲୋକ ସଭା କାର୍ୟ୍ୟକାଳ ଆସନ୍ତା ଜୁନ୍ ୧୬ରେ ଶେଷ ହେବ। ଏଥିସହ ନୂଆ ଲୋକ ସଭା ଗଠନ କରାଯିବ। ଏଥିପାଇଁ ଏପ୍ରିଲରୁ ମେ’ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଖବରଦାତା ସମ୍ମିଳନୀରେ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି ଘୋଷଣା ସହ ଦେଶରେ ନିର୍ବାଚନୀ ବିଗୁଲ ବାଜିବ ଓ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଗତ ଲୋକ ସଭା ନିର୍ବାଚନ ତାରିଖ ୨୦୧୯ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଏପ୍ରିଲ ୧୧ରୁ ମୋଟ ୭ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମେ’ ୨୩ରେ ଭୋଟ ଗଣତି କରାଯାଇଥିଲା। ଆଗାମୀ ନିର୍ବାଚନରେ ମୋଟ ୯୬.୮୮ କୋଟି ଭୋଟର ମତଦାନ କରିବେ। ପ୍ରଥମ ଥର ପାଇଁ ଦେଶର ୨ କୋଟି ନୂଆ ଭୋଟରଙ୍କ ସହ ୯୭.୮୮ କୋଟି ଭୋଟର ୨୦୨୪ରେ ଦିଲ୍ଲୀ ସିଂହାସନ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବେ।ଆଜି ନିର୍ବାଚନ କମିଶନଙ୍କ ଘୋଷଣା ସହ ସାରା ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। କୁହାଯାଉଛି ଯେ ୫୪୩ ଲୋକସଭା ଆସନ ପାଇଁ ସାରା ଦେଶରେ ୭ରୁ ୮ ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଗତ ୮ ଫେବ୍ରୁଆରୀରେ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ପ୍ରଦେଶର ଭୋଟରଙ୍କ ସୂଚୀ ଜାରି କରି ସାରିଛନ୍ତି । ୧୮ରୁ ୨୯ ବର୍ଷ ବୟସ ବର୍ଗର ପ୍ରାୟ ୨ କୋଟି ନୂଆ ଭୋଟର ଏହି ସୂଚୀରେ ସାମିଲ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଅଧିକ ୬% ଭୋଟର ଅର୍ଥାତ ୯୭.୮୮ କୋଟି ମତଦାତା ଆଗାମୀ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଯାହା ସାରା ବିଶ୍ୱରେ ସର୍ବାଧିକ। ସେହିପରି ଆଗାମୀ ନିର୍ବାଚନରେ ପୁରୁଷ-ମହିଳା ଭୋଟର ଅନୁପାତ ୨୦୧୯ରେ ୧୦୦୦: ୯୪୦ରୁ ବୃଦ୍ଧି ପାଇ ୧୦୦୦: ୯୪୮ରେ ପହଞ୍ଚିଥିବା ନିର୍ବାଚନ କମିଶନ ସୂଚନା ଦେଇଥିଲେ ।
ଦେଶରେ ସାଧାରଣ ନିର୍ବାଚନ ସହ ସିକିମ୍ର ୩୨, ଅରୁଣାଚଳ ପ୍ରଦେଶର ୬୦, ଓଡ଼ିଶାର ୧୪୭ ଓ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ନିମନ୍ତେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ବଡ଼ ରାଜ୍ୟ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି କେତେକ ରାଜ୍ୟରେ ୭ରୁ ୮ ପର୍ୟ୍ୟାୟରେ ନିର୍ବାଚନ ହୋଇପାରେ। ମାତ୍ର ବିଧାନସଭା ନିର୍ବାଚନ ହେଉଥିବା ୪ ରାଜ୍ୟ ଓଡ଼ିଶା, ସିକିମ୍, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୩ରୁ ୫ ପର୍ୟ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଉଛି ।