ହାଟଡିହୀ ବି.ଡି.ଓ. ଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ସିଇଓଙ୍କ ନିକଟରେ କଂଗ୍ରେସର ଅଭିଯୋଗ

ହାଟଡିହୀ ବି.ଡି.ଓ. ଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ସିଇଓଙ୍କ ନିକଟରେ କଂଗ୍ରେସର ଅଭିଯୋଗ
ସର୍ବଦା ସ୍ୱଚ୍ଛ ସରକାର ସମ୍ପର୍କରେ ବାହାବା ନେଉଥିବା ସରକାରଙ୍କର ଅସଲ ଚେହେରା ପଦାରେ ପଡ଼ିଛି । ସମ୍ପ୍ରତି ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ଗତ ୧୯.୫.୨୦୨୪ ରିଖ ଦିନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହାଟଡିହୀ ବ୍ଲକର ଅଣା ଖେଳପଡ଼ିଆ ଠାରେ ଅନୁଷ୍ଠିତ ବିଜେଡ଼ିର ଏକ ନିର୍ବାଚନୀ ସଭାରେ ହାଟଡିହୀ ବି.ଡି.ଓ. ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ଅଭିମନୁ୍ୟ ସେଠୀଙ୍କ ସହ ଉପସ୍ଥିତ ରହିଥିବାର ଫଟୋ ଦେଖିବାକୁ ମିଳିଛି । ଶ୍ରୀ ପାଣିଗ୍ରାହୀ ଜଣେ ସରକାରୀ କର୍ମଚାରୀ ହୋଇ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ପ୍ରଚାର କରିବା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରୁଛି । ଏଠାରେ ସୂଚନାଯୋଗ୍ୟ ଯେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ସେଠୀଙ୍କ ସହଧର୍ମିଣୀ ହାଟଡିହୀ ବ୍ଲକର ଅଧ୍ୟକ୍ଷା ଅଟନ୍ତି ।
ବି.ଡି.ଓ. ଶ୍ରୀ ପାଣିଗ୍ରାହୀଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ବାଙ୍କନିଧି ବେହେରା, ମନୋରଞ୍ଜନ ଦାଶ, ତରୁଣକାନ୍ତ ମିଶ୍ର, ସିତାଂଶୁ ଦାସ, ଶାରଦା ପ୍ରସାଦ ପ୍ରଧାନ ଓ ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ତୁରନ୍ତ ସଂପୃକ୍ତ ବି.ଡି.ଓ. ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ପ୍ରତିନିଧି ଦଳ ଦାବି କରିଥିଲେ ।