ନେପାଳରେ ଭୂମିକମ୍ପ : ୧୨୮ରୁ ଅଧିକ ଲୋକ ମୃତ
କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଗୁରୁତର ରହିଛନ୍ତି। ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯାଉଛି। ଭଗ୍ନାବଶେଷ ତଳେ ଆହୁରି ଲୋକ ମିଳୁଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ ଘରୁ ବାହାରି ପାରି ନଥିଲେ ।ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି। ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।
ସେପଟେ ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା ।ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ। । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।




admin 