ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ , ଜଗା ଦର୍ଶନ ବି କରିବେ

ଆସନ୍ତା ୨୪ ତାରିଖରେରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାଯ୍ୟକ୍ରମ ରହିଛି । । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀ ଏସପି ବିନୀତ ଅଗ୍ରୱାଲ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ ୫୦ ମିନିଟର କାର୍ୟ୍ୟକ୍ରମ ରହିଛି। ସେ ତାଳବଣିଆ ସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ପ୍ରୋଟୋକଲ ଅନୁଯାୟୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ବର୍ଷ ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅନୁଷ୍ଠିତ ହେବ । ଏହି ଉତ୍ସଵରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ , ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ପୁରୀ ସାଂସଦ ପ୍ରମୁଖ ଯୋଗ ଦେବେ । ଉଦ୍ଘାଟନୀ ଉତ୍ସବରେ ସ୍ମରଣିକା ଉନ୍ମୋଚିତ ହେବା ସହ ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା କଲେଜର ପୁରାତନ ଛାତ୍ର ଓ ଆଲୁମିନିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥିସହ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ୪୦ ଜଣଙ୍କୁ ନେଇ ପୁରାତନ ଓ ଆଧୁନିକ ଆୟୁର୍ବେଦକୁ ନେଇ ସେମିନାର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ହେବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି।