କୁକୁର ବାଟରେଘାଟରେ ଝାଡ଼ା ଫେରିଲେ ପୋଛିବେ ମାଲିକ
ଭୁବନେଶ୍ୱର : ରାଜଧାନୀରେ କୁକୁର ବେପାରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏବେ ରାଜଧାନୀରେ ହୋଇପାରିବନି କୁକୁର ବେପାର । ଏଥିଲାଗି ବିଏମସିର ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ପୋଷା କୁକୁରଙ୍କ ପଞ୍ଜୀକରଣ ଓ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ବିଏମ୍ସି ଆଇନ ପ୍ରସ୍ତୁତ କରିଛି । ପୋଷା କୁକୁର ଆଇନ ଲାଗୁ ହେବା ନେଇ ଚର୍ଚ୍ଚା ହେବା ପରେ କୁକୁର ମାଲିକ ଛାନିଆ ହୋଇଛନ୍ତି । ଆଇନ ନ ମାନିଲେ ୧୦ ହଜାର ଜରିମାନା ସହ ଗିରଫ ହେବାର ଆଶଙ୍କା ରହିଛି । କୁକୁରଙ୍କୁ ରାସ୍ତାକଡରେ ବୁଲାଇ ଝାଡା ଫେରାଉଥିବା ମାଲିକଙ୍କ ପାଇଁ ଏହି ଆଇନ କଠୋର ହୋଇଛି । ସର୍ବସାଧାରଣ ଜାଗାରେ ଝାଡା ଫେରାଇଲେ ସେହି ମଳକୁ ସମ୍ପୃକ୍ତ ମାଲିକ ସଫା କରିବେ । ସେହିପରି ପୋଷା କୁକୁରଙ୍କୁ ବ୍ୟାବସାୟିକ ଉଦ୍ଦେଶ୍ୟରେ କେହି ବ୍ୟବହାର କରିପାରିବେ ନାହିଁ । ବହୁ ମାଲିକ ସେମାନଙ୍କ କୁକୁରଙ୍କୁ ବ୍ରିଡିଂ କରାଇ ଛୁଆ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଏଣୁ ଏଣିକି ଏଥିରେ ରୋକ୍ ଲାଗିବ । ଧରାପଡିଲେ, ମୋଟା ଅଙ୍କର ଜରିମାନା ସହ କୁକୁରକୁ ଜବତ କରାଯିବ ।
୪ ମାସରୁ କମ୍ ବୟସର କୁକୁର ରଖି ପାରିବେନି ମାଲିକ । ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜୀକରଣ ହେବ । ଏଥିପାଇଁ ମାଲିକଙ୍କୁ ୫ଶହ ଟଙ୍କା ଦେବାକୁ ପଡିବ । ଏହା ଗୋଟିଏ ବର୍ଷ ପାଇଁ ବୈଧ ରହିବ । ବୈଧତା ସରିବା ପୂର୍ବରୁ ମାସକ ମଧ୍ୟରେ ଲାଇସେନ୍ସ ନବୀକରଣ କରାଇନେଲେ ୨ଶହ ଟଙ୍କା ଦେବାକୁ ପଡିବ । ଏହାପରେ କଲେ, ୩ଶହ ଟଙ୍କା ଦେବାକୁ ପଡିବ । କିନ୍ତୁ ବୁଲା କୁକୁରଙ୍କୁ ପୋଷିଲେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଜଣେ ପ୍ରାଣୀ ଚିକିତ୍ସକଙ୍କ ପାଖରୁ ଜଳାତଙ୍କ ପ୍ରତିରୋଧକ ଓ ଟିକାକରଣ ପ୍ରମାଣପତ୍ର ହାସଲ କରିବାକୁ ହେବ । ଅଧିକାରୀମାନେ ଘର ଘର ବୁଲି ନିୟମିତ ଚଢଉ କରିବେ । ଟିକାକରଣ ହୋଇନଥିଲେ ପଞ୍ଜୀକରଣ ବାତିଲ ହେବ ।
ବିଏମ୍ସି ପଞ୍ଜୀକରଣ କରି ମାଲିକଙ୍କ ଠିକଣା ସମ୍ବଳିତ ଏକ ଚିପ୍ ଦେବ । ଏହାକୁ ମାଲିକମାନେ ଏକ ବେଲ୍ଟରେ କୁକୁର ବେକରେ ପିନ୍ଧାଇବେ । ବିନା ବେଲ୍ଟ୍ରେ କୁକୁର ବାହାରେ ବୁଲିଲେ ବିଏମ୍ସି ସେମାନଙ୍କୁ ଉଠାଇ ନେବ । ସେ ଦିନଠାରୁ ଦିନକୁ ୫୦ ଟଙ୍କା ହିସାବରେ ମାଲିକ ଜରିମାନା ଦେବେ । ସପ୍ତାହେ ମଧ୍ୟରେ ମାଲିକ ଜରିମାନା ନଦେଲେ ବିଏମ୍ସି କୁକୁର ବିକି ଦେବ । ପୋଷା କୁକୁରଙ୍କୁ ବାହାରେ ଛାଡିଦେଲେ ମଧ୍ୟ ବିଏମ୍ସି ଜବତ କରି ବିକ୍ରି କରିଦେବ । କୁକୁର କାହାକୁ କାମୁଡିଲେ, ଏହାର କ୍ଷତିଭରଣା କରିବେ ମାଲିକ । ଏଥିପାଇଁ ପ୍ରତ୍ୟେକ କୁକୁରର ବୀମା କରିବେ ।
କୌଣସି ପରିସ୍ଥିତିରେ ବିଏମ୍ସି ଏଥିପାଇଁ ଦାୟୀ ରହିବ ନାହିଁ ବୋଲି ବାଇ ଲ’ରେ ସ୍ପଷ୍ଟ କରାଯାଇଛି । ଯଦି କେହି ବୀମା ନ କରନ୍ତି ବା କ୍ଷତିଭରଣା ନ କରନ୍ତି, ତେବେ ‘ପ୍ରାଣୀ ଜନ୍ମ ନିୟନ୍ତ୍ରଣ(କୁକୁର) ନିୟମ-୨୦୦୧’ ବଳରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି କୁକୁରଙ୍କୁ ବିଭିନ୍ନ ପ୍ରଦର୍ଶନୀ କିମ୍ବା ଖେଳରେ ବ୍ୟବହାର କଲେ ବିଏମସିଠାରୁ ସ୍ୱୀକୃତି ନେବାକୁ ପଡିବ । ଏଥିପାଇଁ ଯଥେଷ୍ଟ ପୂର୍ବରୁ ଆବେଦନ କଲେ ଦିନକୁ ଶହେ ଟଙ୍କା ଦେୟ ଆଧାରରେ ସ୍ୱୀକୃତି ପ୍ରଦାନ କରାଯିବ । ଏକ ସ୍ୱତନ୍ତ୍ର ରେଜିଷ୍ଟରରେ ଜବତ କୁକୁରଙ୍କ ତଥ୍ୟ ରହିବ । କୁକୁର ମରିଗଲା ପରେ ଶବ ଏଣେତେଣେ ଫିଙ୍ଗି ପାରିବେନାହିଁ । କୁକୁରଙ୍କୁ ପୋତିବା ପାଇଁ ବିଏମ୍ସି ଜାଗା ଯୋଗାଇ ଦେବ । ତିନି ଫୁଟ ଗାତ କରି ମାଲିକମାନେ ପୋତିବେ । ମଲା କୁକୁରଙ୍କୁ ସେ ପର୍ଯ୍ୟନ୍ତ ବୋହିନେବା ପାଇଁ ଗାଡି ଯୋଗାଇ ଦେବାକୁ ବିଏମ୍ସି ଯୋଜନା କରୁଥିବା ଜଣାପଡିଛି । ଏହି ସବୁ ନିୟମକୁ ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହେବ । ଉଲ୍ଲଂଘନ ନିୟମିତ ହେଲେ ଦିନକୁ ୨୦୦ ହିସାବରେ ଜରିମାନା ପରିମାଣ ବୃଦ୍ଧି ପାଇବ ।




admin 