ଆଇବ୍ରୋ ସେପ୍‌ କରିବାରୁ ତଲାକ୍‌

ଆଇବ୍ରୋ ସେପ୍‌ କରିବାରୁ ତଲାକ୍‌

ନୂଆଦିଲ୍ଲୀ: ପତ୍ନୀ ଆଇବ୍ରୋ ସେପ୍‌ କରିବାରୁ ରାଗିଗଲେ ସ୍ୱାମୀ । ଆଉ ଭିଡିଓ କଲ୍‌ କରି ୩ ଥର ଉଚ୍ଚାରଣ କଲେ ତଲାକ୍‌। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

ଗୁଲସାଇବା ନାମ୍ନୀ ମହିଳା ସଲିମ ନାମକ ଯୁବକଙ୍କୁ ୨୦୨୨ ମସିହାରେ ବିବାହ କରିଥିଲେ। ଏହାପରେ ଗୁଲସାଇବା କାନପୁରରେ ନିଜ ଶାଶୁ ଘରେ ରହୁଥିବା ବେଳେ ସଲିମ ନିଜ କର୍ମ କ୍ଷେତ୍ର ସାଉଦି ଆରବକୁ ଗତ ଅଗଷ୍ଟ ୩୦ରେ ଚାଲି ଯାଇଥିଲେ।

ଗୁଲସାଇବା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସ୍ୱାମୀ ସାଉଦି ଆରବ ଚାଲି ଯିବା ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ୟାତନା ଦେଉଥିଲେ। ଏନେଇ ସ୍ୱାମୀଙ୍କୁ କହିଲେ ସେ ବି କିଛି ଶୁଣୁ ନ ଥିଲେ। ଏଥିସହ ଗୁଲସାଇବା ସଜବାଜ ହେବାକୁ ଭଲ ପାଉଥିବା ବେଳେ ତାଙ୍କ ସ୍ୱାମୀଙ୍କର ତାହା ପସନ୍ଦ ନ ଥିବା ସେ କହିଥିଲେ।

ଗତ ଅକ୍ଟୋବର ୪ ତାରିଖରେ ଗୁଲସାଇବାଙ୍କ ନିକଟକୁ ତାଙ୍କ ସ୍ୱାମୀ ଭିଡିଓ କଲ୍‌ କରିଥିଲେ। ଉକ୍ତ ସମୟରେ ପତ୍ନୀ ଆଇବ୍ରୋ କରିଥିବା ସେ ଦେଖିବାକୁ ପାଇଥିଲେ। ଏହାଦେଖି ସେ ଉତ୍ତ୍ୟକ୍ତ ହୋଇ ହଠାତ୍‌ ତାଙ୍କୁ ଟ୍ରିପଲ୍‌ ତଲାକ ଦେଇଦେଇଥିଲେ। ଏହାପରେ ସେ ଫୋନ୍‌ ସୁଇଚ୍‌ ଅଫ୍‌ କରି ଦେଇଥିବା ବେଳେ ଆଉ ଫୋନ୍‌ ଉଠାଇ ନ ଥିଲେ।ଗୁଲସାଇବା ଏନେଇ ଥାନାରେ ନିଜ ସ୍ୱାମୀ, ଶାଶୁଙ୍କ ସମେତ ୫ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।