ମାଛ ବଜାର ପାଇଁ ୫୦ ଲକ୍ଷ ଟଙ୍କା

ମାଛ ବଜାର ପାଇଁ ୫୦ ଲକ୍ଷ ଟଙ୍କା

ବାଲେଶ୍ୱର : ଉତ୍ତର ବାଲେଶ୍ୱର ସହ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ସବୁଠାରୁ ବଡ ଜଳେଶ୍ୱର ମାଛ ବଜାର ଏବେ ଦୟନୀୟ ଅବସ୍ଥାରେ। ସ୍ବତନ୍ତ୍ର ବଜାର ପ୍ରତିଷ୍ଠା ପାଇଁ ଡିପିଆର୍‌ ପ୍ରସ୍ତୁତ ଆରମ୍ଭ ହୋଇଛି। ଏନେଇ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରାୟ ୪୦ରୁ ଅଧିକ ମାଛ ବ୍ୟବସାୟୀ ଉପକୃତ ହେବ ବୋଲି ଜଣାପଡ଼ିଛି ପ୍ରତିଦିନ ସକାଳୁଆ ମାଛ ବଜାର ଜଳେଶ୍ୱର ସହର ଉପକଣ୍ଠ ଥାନା ବଜାର ନିକଟରେ ଚାଲୁଛି। ସେହିପରି ଅପରାହ୍ନରୁ ରାତି ଯାଏ ଷ୍ଟେସନ୍‌ ବଜାର ବସ୍‌ଷ୍ଟାଣ୍ଡ ନିକଟରେ ମାଛ ବଜାର ଖୋଲୁଛି। ଜଳେଶ୍ୱର ନୂଆ ବଜାର, ବ୍ଲକ୍‌ ବଜାର, ବଡ଼ବଜାର ପୋଲ ଉପରେ ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ମାଛ ବ୍ୟବସାୟୀମାନେ ବସି ମାଛ ବିକ୍ରି କରୁଛନ୍ତି। ଗୋଟିଏ ପଟେ ଅସ୍ୱାସ୍ଥ୍ୟକର ପରିବେଶରେ ମାଛ ବିକ୍ରି ହେଉଥିବା ବେଳେ ଅନ୍ୟପଟେ ମାଛ ବଜାର ଯୋଗୁଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ପ୍ରତିଦିନ କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ମାଛ ଉପରୋକ୍ତ ସ୍ଥାନରେ ବିକ୍ରି ହେଉଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ସେହିପରି ମାଛ ବିକ୍ରି ସରିବା ପରେ ବର୍ଜ୍ୟ ସାମଗ୍ରୀ ଏବଂ ପାଣି ପଡ଼ି ଦୁର୍ଗନ୍ଧ କରୁଛି।

ଜଳେଶ୍ୱର ପୌର ପରିଷଦ ବଜାର ମଧ୍ୟରେ ଏକ ସ୍ବତନ୍ତ୍ର ମାଛ ବଜାର ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଯେଉଁ ପ୍ରସ୍ତାବକୁ ସରକାର ସବୁଜ ସଙ୍କେତ ଦେବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଡିସ୍‌ପ୍ଲେସ୍‌ କନ୍‌ସଲ୍‌ଟେନ୍‌ସି ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ଡିପିଆର୍‌ ପ୍ରସ୍ତୁତ ପାଇଁ ଦାୟିତ୍ବ ଦିଆଯାଇଛି। ଏହି ମାଛ ବଜାର ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହା ପ୍ରତିଷ୍ଠା ହେଲେ ୪୦ ଜଣ ବ୍ୟବସାୟୀ ଉପକୃତ ହେବେ ବୋଲି ଜଳେଶ୍ୱର ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। କେବଳ ମାଛ ମାର୍କେଟ୍‌ ନୁହେଁ, ମାଛ ମାର୍କେଟରୁ ବାହାରୁ ଥିବା ବର୍ଜ୍ୟ ସାମଗ୍ରୀ ଓ ବର୍ଜ୍ୟ ପାଣିର ପରିଚାଳନା ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବଂ ମାର୍କେଟ୍‌ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ତଥା ଗ୍ରାହକଙ୍କ ସୁବିଧା ପାଇଁ ପାର୍କିଂ ପ୍ଲେସ୍‌ର ସୁବିଧା ରହିବ।