ଡ଼ିପ୍ଲୋମା ଇଞ୍ଜିନିୟରିଂରେ ନାଁ ଲେଖିବେ କି ? ଜାଣନ୍ତୁ ଅପଡେ଼ଟ୍
ଭୁବନେଶ୍ୱର: ସୋମବାରଠାରୁ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ପାଇଁ ଆବେଦନ ଆରମ୍ଭ । ଉଭୟ ପ୍ରଥମ ସେମିଷ୍ଟାର ଡିପ୍ଲୋମା ଇଞ୍ଜିନିୟରିଂ ଏବଂ ଲାଟେରାଲ୍ ଏଣ୍ଟ୍ରି ଅର୍ଥାତ୍ ଇଞ୍ଜିନିୟରିଂ ବୈଷୟିକ ଶିକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ଡିପ୍ଲୋମା ଇଞ୍ଜିନିୟରିଂ କୋର୍ସ ପାଇଁ ଆବେଦନ କରିବେ । ତୃତୀୟ ସେମିଷ୍ଟାର ଇଞ୍ଜିନିୟରିଂ ଟେକ୍ନୋଲୋଜି (ଲାଟେରାଲ୍ ଏଣ୍ଟ୍ରି) କୋର୍ସ ପାଇଁ ଯୁକ୍ତ ୨ କିମ୍ବା ଆଇଟିଆଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।
ଆବେଦନକାରୀଙ୍କ ବୟସ ସୀମା ଜୁଲାଇ ୨୦୨୩ ସୁଦ୍ଧା ୧୪ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ବାହାର ରାଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ଇଞ୍ଜିନିୟରିଂ କଲେଜ୍ରେ ୧୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖାଯାଇଛି। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ୧୬୦ ଡିପ୍ଲୋମା ଇଞ୍ଜିନିୟରିଂ କଲେଜ ଥିବା ବେଳେ ୭୫,୬୭୮ ସିଟ୍ ରହିଛି । ନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ, ଡିପ୍ଲୋମା ଇଞ୍ଜନିୟରିଂ ପ୍ରଥମ ସେମିଷ୍ଟାର ନାମଲେଖା ଆବେଦନ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୩୧ ତାରିଖରେ ଶେଷ ହେବ । ପ୍ରଥମ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଜୁନ୍ ୧୪ରୁ ଆରମ୍ଭ ହୋଇ ୨୨ତାରିଖରେ ଶେଷ ହେବ । ଜୁନ୍ ୧୬ରୁ ୨୨ ତାରିଖ ମଧ୍ୟରେ ଆବେଦନକାରୀ ନିଜର ଡକ୍ୟୁମେଣ୍ଟକୁ ସଂଶୋଧନ କରିପାରିବେ । ଜୁଲାଇ ୧୮ ତାରିଖରେ ପ୍ରଥମ ପର୍ୟ୍ୟାୟ ନାମଲେଖା ଶେଷ ହେବ । ଜୁଲାଇ ୧୮ରୁ ୨୫ ତାରିଖ ମଧ୍ୟରେ ଶେଷ ପର୍ୟ୍ୟାୟ ନାମଲେଖା ହେବ । ଯଦି ଶତପ୍ରତିଶତ ସିଟ୍ ପୂରଣ ନହୁଏ ତେବେ ଜୁଲାଇ ୨୭ରୁ ଅଗଷ୍ଟ ୪ତାରିଖ ମଧ୍ୟରେ ସ୍ପଟ୍ ଆଡମିଶନ ହେବ । ଲାଟେରାଲ୍ ଏଣ୍ଟ୍ରି ଆବେଦନ ମେ ୧୭ରେ ଶେଷ ହେବ । ଏଥିସହ ପ୍ରଥମ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ମେ ୨୯ରୁ ଆରମ୍ଭ ହୋଇ ଜୁଲାଇ ୩ତାରିଖ ମଧ୍ୟରେ ଶେଷ ହେବ । ଜୁଲାଇ ୩ରୁ ୭ ତାରିଖ ମଧ୍ୟରେ ଶେଷ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବ । ଆବଶ୍ୟକ ହେଲେ ଜୁଲାଇ ୨୦ରୁ ୨୭ ତାରିଖ ମଧ୍ୟରେ ସ୍ପଟ୍ ଆଡମିଶନ୍ ହେବ ।




admin 