ଧନତେରସ୍ରେ ୨୦୦ କୋଟିର ବେପାର
ଭୁବନେଶ୍ବର : ଧନତେରସ୍ରେ ସାରା ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା ବିକ୍ରି ହୋଇଛି। ଗତବର୍ଷ ୧୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବାବେଳେ ଚଳିତ ବର୍ଷ ବଜାର ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସ୍ବାଭାବିକ ଥିବାରୁ ପ୍ରାୟ ୩୦ରୁ ୩୫ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଦିନ ସୁନା, ରୁପା ଓ ହୀରା ଅଳଙ୍କାର କ୍ରୟ କଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ ରହିଛି। ଏହି ତିଥିରେ ସୁନା କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗଢ଼ା ମଜୁରି ଉପରେ ରିଆତି ଓ ବିଭିନ୍ନ ଉପହାର ଦେଉଛନ୍ତି। ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ତନିସ୍କ, ଜୋୟାଲ୍ଲୁକାସ୍, ମାଲବାର ଗୋଲ୍ଡ, ଜାଭେରି ଜେମ୍ସ ଜୁଏଲାରୀ, ସ୍ମାଇଲ ଗ୍ଲୋଲଡ ଜୁଏଲାରୀ ଏବଂ ଖିମ୍ଜୀ ଆଦି ନାମୀଦାମୀ ଜୁଏଲାରୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର ଦିଆଯାଉଛି। ଅନେକ ଅଫର ଏବଂ ଗଢ଼ା ମଜୁରି ଉପରେ ରିଆତି ଦିଆଯାଉଥିବାରୁ ସୁନା, ରୁପା ଓ ହୀରା ବେପାର ବଢ଼ିଛି।
ରାଜ୍ୟର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରରେ ସର୍ବାଧିକ କାରବାର ହୋଇଛି। ମାଲବାର ଗୋଲ୍ଡ ମାଲିକ ସିଦ୍ଧେଶ୍ବର ରଥ କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଧନତେରସ୍ରେ ଭଲ ବେପାର ହୋଇଛି। ପ୍ରାୟ ୨୫ରୁ ୩୦% ବ୍ୟବସାୟ ଅଧିକ ରହିଛି। ସ୍ମାଇଲ ଗୋଲ୍ଡ ଜୁଏଲାରୀ ମାଲିକ ଆର. ସ୍ବାଇଁ କହିଛନ୍ତି, ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସୁନା, ରୁପା ଏବଂ ହୀରା ଅଳଙ୍କାର ଗଢ଼ା ମଜୁରି ଉପରେ ରିଆତି ଦିଆଯାଉଥିବାରୁ ବେପାର ବଢ଼ିଛି। ହୀରା ଅଳଙ୍କାର ଉପରେ ଫ୍ଲାଟ୍ ୨୫% ରିଆତି ଦିଆଯାଉଥିବାବେଳେ ରୁପା ଉପରେ ୫୦% ଏବଂ ସୁନା ୨୨ ଓ ୨୪ କ୍ୟାରେଟ୍ ଉପରେ ଗଢ଼ା ମଜୁରିରେ ୩୯୯ ଏବଂ ୪୯୯ ଟଙ୍କା ରିଆତି ଦିଆଯାଉଛି। ଆଜି ସ୍ମାଇଲ ଶୋ’ ରୁମ୍ରେ ରୁପା କି.ଗ୍ରା ୭୫ ହଜାର ଟଙ୍କା ରହିଥିଲା। ଧନ୍ତେରସ ଅବସରରେ ସାରା ରାଜ୍ୟରେ ବେପାର ବଢ଼ିଥିବା ଅନୁମାନ କରାଯାଉଛି।




admin 