ଆଜି ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ମୋକା’
ନୂଆଦିଲ୍ଲୀ: ପ୍ରଳୟ ରଚିବ ବାତ୍ୟା ‘ମୋକା’ । ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛନ୍ତି । ପାଣିପାଗ ସଂସ୍ଥା ସ୍କାଏମେଟରେ ଆକଳନ ଅନୁସାରେ ବାତ୍ୟା ‘ମୋକା’ ସ୍ଥଳ ଭାଗ ଛୁଇଁଲା ବେଳକୁ ସୁପର ସାଇକ୍ଲୋନର ରୂପ ନେଇ ସାରିଥିବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୨୨୦ କିଲୋମିଟର ରହିପାରେ । ସେହିପରି ଆମେରିକା ନୌସେନାର ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଂଟର ଆକଳନ କରିଛି ଯେ ବାତ୍ୟା ମୋକା ସୁପର ସାଇକ୍ଲୋନର ରୂପ ନେଇ ସାରିଛି ।
ଶୁକ୍ରବାର ରାତିରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଥିବା ବେଳେ ଶନିବାର ରାତିରେ ମହାବାତ୍ୟା ରୂପ ନେଇଛି । ମହାସମୁଦ୍ର ଭଳି ବର୍ଷା ଓ ଭୟଙ୍କର ପବନ ଧରି ଏହା ଆଗକୁ ବଢୁଛି । ଲ୍ୟାଣ୍ଡଫଲ ବେଳକୁ ୨୪୦ କିମି ବେଗରେ ପବନ ମାଡ ହୋଇପାରେ ବୋଲି ଜେଟିଡବ୍ଲୁସି ସତର୍କ କରାଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ଆଜି ମଧ୍ୟାହ୍ନରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଗ ୧୮୦ କିମି ପ୍ରତି ଘଣ୍ଟା ରହିବ । ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୨୧୦ କିମି ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।




admin 