ସାଇବର ସୁରକ୍ଷା ରଥ ଗଡ଼ିଲା ରାଜଧାନୀରେ

ସାଇବର ସୁରକ୍ଷା ରଥ ଗଡ଼ିଲା ରାଜଧାନୀରେ

ଭୁବନେଶ୍ବର: ରାଜଧାନୀରେ ଗଡ଼ିଲା ସାଇବର ସୁରକ୍ଷା ରଥ। ସାଇବର ଅପରାଧ ବିଷୟରେ ସମାଜରେ ସମସ୍ତ ବର୍ଗ ଓ ବୟସର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷାଦେବା ଏହି ରଥଯାତ୍ରାର ଲକ୍ଷ୍ୟ ରଖାଯାଇଛି। ଆଜି ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲାରେ ସାଇବର ସୁରକ୍ଷା ରଥ ଅଭିଯାନର ଶୁଭାରମ୍ଭ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅରବିନ୍ଦ ଢାଲି, ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ସମେତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମକର୍ତ୍ତା ଓ ବିଏମ୍‌ସିର କର୍ମକର୍ତ୍ତା ଓ ସାଇବର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। 

ଏହି ଅଭିଯାନର ଶୁଭାରମ୍ଭ ଅବସରରେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ସାଇବର ସୁରକ୍ଷା ଉପରେ ଏକ ଜନ ସଚେତନାମୂଳକ ନାଟକ ଓ ଛୋ‌ଟ ପିଲାଙ୍କ ଦ୍ୱାରା ଗୀତ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରଯାଇଥିଲା। ପରେ ଏହି ସାଇବର ରଥ ଇନଫୋସିଟି ଥାନା, ନନ୍ଦନକାନନ ଥାନା, ସିଭି ରମଣ କଲେଜ ସମେତ ଭୁବନେଶ୍ବର ବିଭିନ୍ନ ସ୍ଥାନ ଭ୍ରମଣ କରି ସାଇବର ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲା। ସନ୍ଧ୍ୟା ସମୟରେ ରସୁଲଗଡସ୍ଥିତ ମଲ୍‌ ମଧ୍ୟରେ ସାଇବର ସଚେତନାର ଫଟୋ ଓ ଭିଡିଓ ପ୍ରଦର୍ଶନ ସହିତ ସାଇବର ସଚେତନତାର ବାର୍ତ୍ତା ପ୍ରଚାର କରା ଯାଇଥିଲା।