ସାବଧାନ ଗୃହିଣୀ.... ମାଡ଼ିଆସୁଛି କରୋନା

ସାବଧାନ ଗୃହିଣୀ.... ମାଡ଼ିଆସୁଛି କରୋନା

ଭୁବନେଶ୍ୱର: ଡରାଇଲାଣି କରୋନା। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇଛି ଗୃହିଣୀଙ୍କୁ। ପରିବାରର ସମସ୍ତଙ୍କୁ ସୁରକ୍ଷାବଳୟ ଭିତରେ ରଖିବା ଲାଗି ଯଥାସମ୍ଭବ ଘରୋଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କରୋନାର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି ସମସ୍ତେ। ତେଣୁ ପୁଣି ଥରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇ ଦେଇଛି। କରୋନା ସଂକ୍ରମଣ, ଲକ୍‌ଡାଉନ୍‌ର କଟକଣା ଏଯାଏଁ ମନରୁ ଲିଭି ନ ଥିବାବେଳେ ପୁଣି ଥରେ ଏସବୁକୁ ସାମ୍ନା କରିବାକୁ ପଡ଼ିବ, ଏକଥା ଭାବି ପ୍ରତିକାର ପାଇଁ ଗୃହିଣୀମାନେ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ପ୍ରକାର ଘରୋଇ ଉପଚାର। ପୂର୍ବଭଳି ପୁଣି ଥରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା କିମ୍ବା ଥଣ୍ଡା, କାଶ ପ୍ରତି ସଚେତନ ରହିବା ଆଦି ସବୁ ପ୍ରକାର ସଚେତନତା ଆରମ୍ଭ କରିଛନ୍ତି। ଏସବୁ ଭିତରେ ପିଲାଙ୍କ ସ୍କୁଲ ଖୋଲି ଥିବାରୁ ସେମାନଙ୍କ ପାଇଁ ଟିକେ ଅଧିକ ସତର୍କ ହେବାକୁ ପଡୁଛି।

ପିଲାଙ୍କ ପ୍ରତି ଅଧିକ ସଚେତନ: ଏବେ ପୁଣି ଥରେ ସବୁ ଅଭ୍ୟାସ ଆରମ୍ଭକରି ଦେଇଛନ୍ତି ଗୃହିଣୀ । ବାହାରର କୌଣସି ଖାଦ୍ୟ ପିଲାଙ୍କୁ ଦିଅନ୍ତୁ ନାହିଁ । ପିଲାଙ୍କର ତଥା ଘର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସବୁବେଳେ ତତ୍ପର ରୁହନ୍ତୁ । ଭଲ ପରିବେଶରେ ରହିଲେ ପିଲାଙ୍କୁ କିମ୍ବା ଆମ ପରିବାରରେ କାହାକୁ ବି କରୋନା ହେବର ଆଶଙ୍କା ନଥାଏ ।

କାଢ଼ା ଥେରାପି: ଘରେ କରୋନା ବଢ଼ିବାକୁ ନେଇ ସମସ୍ତଙ୍କୁ ସତର୍କ କରାନ୍ତୁ । ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ହ୍ୟାଣ୍ଡ ୱାଶ୍‌ ଆଉ ସାନିଟାଇଜର ଦେଇ ପଠାନ୍ତୁ । ତା’ ଛଡ଼ା ସବୁବେଳେ ତାଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ପୂର୍ବଥର କରୋନା ସମୟରେ ଯେମିତି ସବୁଦିନ କାଢ଼ା ପିଇବାକୁ ଦେଉଥିଲି ଏବେ ସେମିତି ସ୍କୁଲରୁ ଫେରିବା ପରେ ପିଲାଙ୍କୁ କାଢ଼ା ଦିଅନ୍ତୁ । ତା’ ଛଡ଼ା ଥଣ୍ଡା ହେବା ଭଳି ଲକ୍ଷଣ ଦେଖାଦେବା ମାତ୍ରେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ପରାମର୍ଶ ନେଇ ଔଷଧ ଦିଅନ୍ତୁ । କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପିଲାମାନେ ବି ନିଜେ ସଚେତନ ହୋଇ ସବୁ ପ୍ରକାର କଟକଣା ମାନି ଚଳିବାକୁ ଶିଖାନ୍ତୁ ।

ସତର୍କ ରହିବାକୁ ଚିନ୍ତା କରନ୍ତୁ: ପୁଣି ଥରେ କରୋନା ବଢ଼ିବାରୁ ସତର୍କ ହୁଅନ୍ତୁ । ଘରେ ଯଦି କେହି ବୟସ୍କ ଲୋକ ଅଛନ୍ତି ସେମାନଙ୍କ ପ୍ରତି ଯତ୍ନଶୀଳ ହୁଅନ୍ତୁ । ବୟସ୍କ ତଥା ପିଲାମାନଙ୍କୁ ଥଣ୍ଡା ହେବାଠାରୁ ଦୂରେଇ ରଖନ୍ତୁ । ଘରେ ଯେମିତି କାହାକୁ ଥଣ୍ଡା କି ଜ୍ୱର ନ ହେବ ସେଥିପାଇଁ ଇମ୍ୟୁନିଟି ବଢ଼ାଇବାକୁ ସକାଳୁ ତୁଳସୀପତ୍ର କାଢ଼ା ଦେଇପାରିବେ ।

କରୋନାକୁ ନିଶ୍ଚିତ ଜିତିବୁ: କରୋନା ନାଁ ଶୁଣିଲେ ଏବେ ବି ଡର ଲାଗୁଛି । ଯେମିତି କୋଉ ଗୋଟେ ଭୟଙ୍କର ବିପଦ ମାଡ଼ି ଆସୁଛି । ବାହାରୁ ଆସିଲେ ଡେ଼୍ରସ ବଦଳାଇବା, ଗୋଡ଼ହାତ ଭଲଭାବେ ଧୋଇବା ସହ ସାନିଟାଇଜର ବ୍ୟବହାର କରନ୍ତୁ ।

ସମସ୍ତେ ସତର୍କ ହୁଅନ୍ତୁ : କରୋନା ପାଇଁ ସମସ୍ତେ ପୂର୍ବଭଳି ସତର୍କ ରୁହନ୍ତୁ । କାହିଁକିନା ଏଥର ବି ସଂକ୍ରମଣ ବଢିବାରେ ଲାଗିଲାଣି । ଯଦି ସତର୍କ ନ ହେବା ତ ଏହା ପୁଣି ଥରେ ଭୟଙ୍କର ରୂପ ନେଇପାରେ । ତେଣୁ ସମସ୍ତେ ମାସ୍କ ଲଗାନ୍ତୁ ଏବଂ ହ୍ୟାଣ୍ଡୱାଶ୍‌, ସାନିଟାଇଜର ବ୍ୟବହାର କରନ୍ତୁ । ପରିଷ୍କାର ପରିଚ୍ଛନ୍ନ ରହିବା ସହ ସମସ୍ତେ ନିଜ ଇମ୍ୟୁନିଟି ବଢାଇବା ପାଇଁ ଚେଷ୍ଟା କରନ୍ତୁ । ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ରୋଗର ସାମାନ୍ୟ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକିତ୍ସା କରନ୍ତୁ । ଯେହେତୁ ସମସ୍ତେ କରୋନାର ଭୟଙ୍କର ରୂପକୁ ଥରେ ଦେଖି ସାରିଛନ୍ତି ତେଣୁ କୌଣସି ପରିସ୍ଥିତିରେ ବି ଅବହେଳା କରିବା ଠିକ୍‌ ନୁହେଁ । ଏବେ ତ କରୋନା ସହିତ ଏଚ୩ଏନ୨ ଭାରିଆଣ୍ଟର ସଂକ୍ରମଣ ବଢୁଛି । ଡାକ୍ତରଖାନାକୁ ଏବେ ଅଧିକ ସଂଖ୍ୟାରେ ସଂକ୍ରମିତ ରୋଗୀ ଆସୁଛନ୍ତି । ତେଣୁ ରୋଗ ହେବା ପୂର୍ବରୁ ନିରାକରଣ କରିବା ହିଁ ବୁଦ୍ଧିମାନର କାମ ।