କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟ, ୨୫ ଗ୍ୟାରେଂଟି

କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟ, ୨୫ ଗ୍ୟାରେଂଟି


ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ ଆଦି ୫ ନ୍ୟାୟ ଓ ୨୫ ଗ୍ୟାରେଂଟି ଉପରେ ଏହି ଇସ୍ତାହାର ପ୍ରସ୍ତୁତ । ଏହି ନ୍ୟାୟପତ୍ର କେବଳ ନିର୍ବାଚନୀ ଘୋଷଣାପତ୍ର ନୁହେଁ, ଏହା ଦେଶର ଗରିବ ନିଷ୍ପେସିତ ଜନସାଧାରଣଙ୍କ ସ୍ୱର ବୋଲି ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା କହିଛନ୍ତି । 
ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ଶର୍ମା କହିଲେ ଯେ ବର୍ତମାନ ଦେଶରେ ଅନ୍ୟାୟର ଶିକାର ହେଉଥିବା କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ଏବଂ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ । ବିଶେଷ କରି ପ୍ରତ୍ୟେକ ଶିକ୍ଷିତ ଯୁବକ ଯୁବତୀଙ୍କୁ ଆପ୍ରେଂଟିସିପ୍ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ, ୩୦ଲକ୍ଷ ନୂତନ ସରକାରୀ ଚାକିରି, ପ୍ରଶ୍ନପତ୍ର ପ୍ରଘଟ ବନ୍ଦ କରିବା, ଗିଗ୍ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ୫୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍ ପାଣ୍ଠି ଗଠନ କରିବାକୁ କଂଗ୍ରେସ ନିଷ୍ପତି ନେଇଛି । ସେହିପରି କୃଷକମାନଙ୍କୁ ଏମଏସ୍ପି ପ୍ରଦାନ, କୃଷିଋଣ ଛାଡ଼ ପାଇଁ ଆୟୋଗ ଗଠନ, ୩୦ଦିନ ଭିତରେ ଫସଲହାନୀର କ୍ଷତିପୂରଣ ପ୍ରଦାନ, ନୂତନ ଆମଦାନୀ ରପ୍ତାନୀ ନୀତି ଏବଂ କୃଷିକୁ ଜିଏସ୍ଟି ମୁକ୍ତ କରିବାକୁ କଂଗ୍ରେସ ଗ୍ୟାରେଂଟି ଦେଉଛି । ଏଥିସହ ମହିଳାମାନଙ୍କୁ ନ୍ୟାୟ ଓ ସେମାନଙ୍କ ଅଧିକାର ପ୍ରଦାନ ପାଇଁ କଂଗ୍ରେସ ବିଶେଷ ଧ୍ୟାନ ଦେଇଛି । ମହାଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ୧ଲକ୍ଷ ଟଙ୍କା ପ୍ରଦାନ, କେନ୍ଦ୍ର ସରକାରଙ୍କ ନୂତନ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ, ଆଶା, ଅଙ୍ଗନବାଡି ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବା, ପ୍ରତି ପଂଚାୟତରେ ଅଧିକାର ମିତ୍ର ନିଯୁକ୍ତି, କର୍ମଜୀବୀ ମହିଳାଙ୍କ ପାଇଁ ୨ଗୁଣ ଅଧିକ ହଷ୍ଟେଲ ନିର୍ମାଣ କରାଯିବ । ସେହିପରି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୪୦୦ ଟଙ୍କା କରିବା, ସେମାନଙ୍କୁ ୨୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ, ଜୀବନ ବୀମା ଓ ରୋଜଗାର ସୁରକ୍ଷା ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ ବୋଲି ଶ୍ରୀମତି ଶର୍ମା କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ.ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ଓଡ଼ିଶାର ଆଦିବାସୀ, ଅନୁସୂଚୀ ଜାତି ଓ ଅନୁସୂଚୀତ ଜନଜାତି ବର୍ଗଙ୍କୁ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇଛି । ଆମ ରାଜ୍ୟରେ ୨୩% ହେଉଛନ୍ତି ଆଦିବାସୀ । ଅର୍ଥାତ୍ ଓଡ଼ିଶାର ମୋଟ୍ ଜନସଂଖ୍ୟା ସାଢ଼େ ୪କୋଟିରୁ ସେମାନଙ୍କ ସଂଖ୍ୟା ହେଉଛି ୧କୋଟି । କଂଗ୍ରେସ ସବୁବେଳେ ସାମାଜିକ ନ୍ୟାୟ ଓ ଅଧିକାର ପାଇଁ ଲଢ଼େଇ କରିଆସିଛି । କିନ୍ତୁ ବିଜେଡିର ୨୪ବର୍ଷର ଶାସନ ପରେ ମଧ୍ୟ ଆମ ରାଜ୍ୟରେ ଆଦିବାସୀଙ୍କୁ ଉଚିତ୍ ନ୍ୟାୟ ଓ ଅଧିକାର ମିଳିପାରି ନାହିଁ । ଆଦିବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଅଧିକାର ମିଳିନାହିଁ । କେବଳ ନିର୍ବାଚନ ସମୟରେ ବିଜେଡି ସରକାର କେନ୍ଦୁପତ୍ର ତୋଳାଳିଙ୍କୁ କିଛି ବୋନସ ଦେବାର ପ୍ରତିଶ୍ରୁତି ଦେଇ ବାହା ବାଃ ନେଉଛନ୍ତି । କଂଗ୍ରେସ ସରକାର ୨୦୦୬ରେ ଆଦିବାସୀଙ୍କୁ ଜଳ, ଜଙ୍ଗଲ ଓ ଜମି ଅଧିକାର ଦେଇଥିଲା । ମାତ୍ର ବିଜେଡି ଓ ବିଜେପି ସରକାରଙ୍କୁ ହାତ କରି ପୁଞ୍ଜିପତିମାନେ ତାହା ଛଡ଼ାଇ ନେଇଛନ୍ତି । ଆଦିବାସୀମାନଙ୍କୁ ଅଦ୍ୟାବଧି ଜମି ପଟ୍ଟା ମିଳିପାରିନାହିଁ । ତେଣୁ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆଦିବାସୀଙ୍କ ଜଙ୍ଗଲ ଅଧିକାର ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯିବ । ସେହିପରି ରାଜ୍ୟରେ କଂଗ୍ରେସ ସରକାର ଆସିଲେ ପେସା ଆଇନ୍ ଲାଗୁ କରାଯିବ । ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ପି୍ରଭେନ୍ସନ ଅଫ୍ ଆଟ୍ରୋସିଟିଜ) ଆକ୍ଟ ୧୯୮୯କୁ ପୁନଃ କାର୍ଯ୍ୟକ୍ଷମ କରାଯିବ । ଆଦିବାସୀମାନଙ୍କୁ ଆଇନଗତ ସହାୟତା ପ୍ରଦାନ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯିବ । ଯେଉଁ ଅଂଚଳରେ ଆଦିବାସୀଙ୍କ ସଂଖ୍ୟା ଅନ୍ୟମାନଙ୍କଠାରୁ ଅଧିକ ସେହି ଅଂଚଳକୁ ଆଦିବାସୀ ଅଂଚଳ ଭାବେ ଘୋଷଣା କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ହିଂସା ଓ ନିର୍ଯାତନାର ଶିକାର ହେଉଥିବା ଆଦିବାସୀ ପିଲାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ରୋହିତ ଭେମୁଲା ଆକ୍ଟ ନାମରେ ଏକ ଆଇନ୍ ଆଣିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଆମ୍ବେଦକର ଭବନ ଓ ପାଠାଗାର ପ୍ରତିଷ୍ଠା କରାଯିବ ବୋଲି ଡ. ମହାନ୍ତି କହିଛନ୍ତି । ବର୍ତମାନର ଦଳବଦଳି ପ୍ରସଙ୍ଗରେ ସେ କହିଲେ ଯେ ରାଜ୍ୟରେ ଏବେ ମ୍ୟାଚ୍ ଫିକ୍ସିଂ ଖେଳ ଚାଲିଛି । ବିଜେଡି ଓ ବିଜେପି ସଲାସୁତରା ହୋଇ ନିର୍ବାଚନ ଲଢ଼ୁଛନ୍ତି । ବିଜୁ ଜନତା ଦଳ ନିଜ ଉପରେ ଆସ୍ଥା ହରାଇଛି । ବିଜେଡି ନେତାମାନଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ସେମାନେ କଂଗ୍ରେସରୁ ନେତାଙ୍କୁ ନେଇ ପ୍ରାର୍ଥୀ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।