ସମୁଦ୍ର ଆଗକୁ ବଢ଼ୁଛି : ଜଳବାୟୁ ପରିବର୍ତ୍ତନ

ସମୁଦ୍ର ଆଗକୁ ବଢ଼ୁଛି : ଜଳବାୟୁ ପରିବର୍ତ୍ତନ

ରାଜନଗର : ସାତଭାୟାଠାରୁ ଏକକୂଳା ଯାଏ ଦୀର୍ଘ ୧୨ କିମି ଅଂଚଳରେ ସମୁଦ୍ର ତାଣ୍ତବ ରଚିବାରେ ଲାଗିଛି। ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇ ନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ଫଳରେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେଲାଣି। ୧୯୭୧ ପ୍ରଳୟଙ୍କାରୀ ବାତ୍ୟାରେ ବଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା, ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ରରେ ଲୀନ ହୋଇଯାଇଥିଲା। ୧୯୯୯ ମହାବାତ୍ୟାରେ ସାତଭାୟାକୁ ବଙ୍ଗୋପସାଗର ନିଜ ଗର୍ଭକୁ ନେଇଯାଇଥିଲା। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ିଯିବା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ୨୦୦୦ ମସିହାରେ ସୁନାମି ଆସିବା ପରଠାରୁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁ ମୁହାଁ ହୋଇଛି।

୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ୮ଶହ ମିଟର ବନ୍ଧକୁ ଧୋଇ ନେଇଥିଲା। ଏହାପରେ ପେଣ୍ଠ ନିକଟରେ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ୍‌ ସି ୱାଲ୍‌ ନିର୍ମାଣ କରାଯାଇଛି। ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତି ଠାରୁ ଏକକୂଳା ଯାଏ ଦୀର୍ଘ ୧୨ କିମି ବେଳାଭୂମିରେ ତାଣ୍ତବ ରଚୁଛି। ସାତଭାୟାରୁ ଏକକୂଳା ଯାଏ ଥିବା ବାଲିପାହାଡ଼କୁ ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଧୋଇ ନେଇଛି। ଏଥିସହ ଉପକୂଳ ଓଡ଼ିଶାର ସୁରକ୍ଷା କବଚ କୁହାଯାଉଥିବା ଲୁଣା ଜଙ୍ଗଲ ସମୁଦ୍ର ଉଚ୍ଚ ଜୁଆରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଗତ କିଛି ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛକୁ ସମୁଦ୍ର ଉପାଡି ଗର୍ଭକୁ ନେଇଯାଇଥିବା ଲକ୍ଷ କରାଗଲାଣି। ଏପରିକି ସାତଭାୟା ଜନବସତି ପରେ ଓ ହବାଳିଖଟିରୁ ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶିଯାଇଛି। ପ୍ରତିଦିନ ସମୁଦ୍ରର ଜୁଆର ଜଙ୍ଗଲ ମଧ୍ୟକୁ ଯାଆସ କରୁଛି। ସାତଭାୟାରୁ ଏକକୂଳା ମଧ୍ୟରେ କାଦୁଆନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣା ଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନସ୍ଥଳୀ ହବାଳିଖଟିକୁ ସମୁଦ୍ର ଛାଡ଼ ସମୟରେ ସାତଭାୟାରୁ ବନକର୍ମଚାରୀମାନେ ମଟରସାଇକଲରେ ଯାଇଥାନ୍ତି। ମାତ୍ର ଗତ ୨/୩ ବର୍ଷ ହେଲା ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶି ଆସିବା ଯୋଗୁଁ ସମୁଦ୍ର କୂଳେ କୂଳେ କାଦୁଅ ଓ ପୁରୁଣା ଗଛର ଖୁଣ୍ଟା ବାହାରିଥିବାରୁ ମଟରସାଇକଲ୍‌ ତ ଦୂରର କଥା, ଚାଲିକି ଯିବା କଷ୍ଟସାଧ୍ୟ ହୋଇପଡିଛି।