ଜାଣନ୍ତୁ, ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍‌ କରିବା ଉଚିତ୍‌

ଜାଣନ୍ତୁ, ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍‌ କରିବା ଉଚିତ୍‌

ଭୁବନେଶ୍ୱର: ପ୍ରତ୍ୟେକ ମା’ ନିଜ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ରହିଥାଏ । ସବୁଠାରୁ ଭଲ ଓ ପୋଷକଯୁକ୍ତ ଖାଦ୍ୟ ଦେବାକୁ ଚାହାନ୍ତି, ଯାହାଫଳରେ ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ମଧ୍ୟ ରହିବ । ଏଥିପାଇଁ ପ୍ରଥମେ ଜାଣିବା ଦରକାର ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍‌ କରିବା ଉଚିତ୍‌ । ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ ଯୋଗୁ ପିଲାକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିପାରି ନଥାଏ । ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ପିଲା ଖୁଆଇବା ଦ୍ୱାରା ତା’ ବିକାଶ ସୁନିଶ୍ଚିତ କରିପାରିବା । 
- ଡାଲି: ଡାଲି ପ୍ରାୟ ପିଲାଙ୍କୁ ପସନ୍ଦ ଆସିନଥାଏ । କିନ୍ତୁ ଏହା ପ୍ଲାଣ୍ଟ-ବେସଡ଼ ପ୍ରୋଟିନ, ଫାଇବର, ଆଇରନ, ଫୋଲେଟ୍‌ ଏବଂ ମ୍ୟାଗନେସିୟମ ପରି ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିଥାଏ । ନିୟମିତ ଡାଲି ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ମଜଭୁତ ହେବା ସହ ସାମଗ୍ରିକ ଶାରିରୀକ ବିକାଶ ମଧ୍ୟ ହୋଇଥାଏ । 
- ଶସ୍ୟ: ବିଭିନ୍ନ ପ୍ରକାର ଶସ୍ୟ ପିଲାଙ୍କ ଭିତରେ ଥିବା ଫାଇବରର ଅଭାବକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ପେଟପୁରା ରହିଥାଏ । ବିଭିନ୍ନ ଶସ୍ୟରେ ଭିଟାମିନ୍‌, ଖଣିଜ ଓ ଆଣ୍ଟି-ଅକ୍ସିଡାଣ୍ଟ ପରି ମହତ୍ତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଭରି ରହିଥାଏ । ସେହିପରି ଆଇରନ୍‌ ମଧ୍ୟ ଥାଏ, ଯାହା ପିଲାକୁ ଆନେମିଆଠାରୁ  ଦୂରେଇ ରଖେ । 

- ବାଜରା: ବାଜରା ହେଉଛି ଗ୍ଲୁଟେନ୍‌ ମୁକ୍ତ, ଯାହାକୁ ହଜମ କରିବା ଖୁବ୍‌ ସହଜ । ଏହା ଫାଇବର, ପ୍ରୋଟିନ୍‌, ଭିଟାମିନ୍‌-ବି ଓ ଇ, ମ୍ୟାଗନେସିୟମ୍‌ ଏବଂ ଆଇରନ୍‌ ପରି ଖଣିଜ ପଦାର୍ଥର ପ୍ରମୁଖ ସ୍ରୋତ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ । 

- ଓଟସ୍‌: ଏହାକୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିପାରିବେ । ଏହା ଫାଇଭର, ପ୍ରୋଟିନ୍‌, ଭିଟାମିନ୍‌-ଇ, ମ୍ୟାଗନେସିୟମ୍‌ ଓ ଜିଙ୍କ ପରି ପୋଷକ ତତ୍ତ୍ୱର ଗନ୍ତାଘର । ଏହା କମ୍‌ ଗ୍ଲାଇକୋସୋମିକ୍‌ ଇଣ୍ଡେକ୍ସ ଖାଦ୍ୟ ତାଲିକାଭୁକ୍ତ । ଏହା ପିଲାଙ୍କୁ ଟାଇପ୍‌-୨ ମଧୁମେହ ଓ ମୋଟାପଣଠାରୁ ଦୂରେଇ ରଖେ ।