ପ୍ଲାଷ୍ଟିକ୍ମୁକ୍ତ ପିକ୍ନିକ୍ ପାଇଁ ମୁଖ୍ୟ ସଚିବଙ୍କ ଆହ୍ୱାନ
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁରୋଧ କରିଛନ୍ତି। ଶ୍ରୀ ଜେନା କହିଛନ୍ତି, ଏ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ‘ୟୁଥ୍ ଫର୍ ୱାଟର’ ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି। ଅନ୍ୟ ପରିବେଶପ୍ରେମୀ ଜନସାଧାରଣ, ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ୟ୍ୟକ୍ରମ କରୁଛନ୍ତି। ପରିବେଶ ସୁରକ୍ଷା ପାଇଁ ଏମାନଙ୍କ ଉଦ୍ୟମକୁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ମୁଖ୍ୟ ସଚିବ ଆହ୍ୱାନ ଦେଇଛନ୍ତି।
ମୁଖ୍ୟ ସଚିବ କହିଛନ୍ତି, ପ୍ରକୃତି ଆମକୁ ପରିବେଶରୁ ଅନେକ ସେବା ପ୍ରଦାନ କରିଥାଏ। ତେଣୁ ତା’ର ଯତ୍ନ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରକୃତିର ଶାନ୍ତ ଓ କମନୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରାକୃତିକ ସ୍ଥାନ ବା ପର୍ୟ୍ୟଟନ ସ୍ଥଳକୁ ଯାଉଥିବା ଜନସାଧାରଣ ଯଥାସମ୍ଭବ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ନେବାକୁ ଅନୁରୋଧ କରିଛନ୍ତି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନ କରିବା ସହିତ ମାଟିରେ ମିଶିପାରୁଥିବା ବା ଜୈବ ବିଘଟନ ହୋଇପାରୁଥିବା ଭଳି ପତ୍ରରେ ପ୍ରସ୍ତୁତ ପ୍ଲେଟ୍ ଏବଂ କପ୍ ଭଳି ସବୁଜ ସାମଗ୍ରୀ ବ୍ୟବହାର କରିବା ଏବଂ ପିକ୍ନିକ୍ ପରେ ସେ ସ୍ଥାନକୁ ସଫା କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଏଥିସହ ପିକ୍ନିକ୍ ପରେ ବର୍ଜ୍ୟବସ୍ତୁକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବାକୁ ସେ ଦୋହରାଇଛନ୍ତି। ସମସ୍ତଙ୍କୁ ଗ୍ରୀନ୍ ପିକନିକ୍ ଆମ୍ୱାସାଡର ହେବା ଏବଂ ଏହି ବାର୍ତ୍ତାକୁ ନିକଟ ସମ୍ପର୍କୀୟଙ୍କୁ ଜଣାଇବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।