ଏଣିକି ଘରୁ ମଶା ବାହାରିଲେ ୧୦୦୦ ତଣ୍ଡ

ଭୁବନେଶ୍ୱର: ଘରୁ ମଶା ବାହାରିଲେ ଏଣିକି ବିପଦ । ମଶା ପାଇଲେ ଗୃହକର୍ତ୍ତା ଗଣିବେ ୧୦୦୦ ଟଙ୍କା ଜରିମାନା । ଖାଲି ସେତିକି ନୁହେଁ ସରକାରୀ-ବେସରକାରୀ କାର୍ୟ୍ୟାଳୟରୁ ମଶା ବାହାରିଲେ ତଣ୍ଡ ବଢ଼ି ୫୦୦୦ ଟଙ୍କା ହେବ । ବୁଧବାର ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିର୍ଦ୍ଦେଶନାମାରେ କୁହାଯାଇଛି, ଡେଙ୍ଗୁ ରୋଗୀ ସଂଖ୍ୟା ବଢିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର କଲାଣି । ତେଣୁ ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ । ଏହାପରେ ସ୍ୱଚ୍ଛସାଥୀ, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ । ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେବେ ସଙ୍ଗେ ସଙ୍ଗେ ଜରିମାନା କରାଯିବ ।
କାର୍ୟ୍ୟାଳୟରେ ସର୍ବାଧିକ ମଶା ବାହାରୁଛନ୍ତି । ଫୁଲକୁଣ୍ଡ, ଛାତ ଉପରେ ପାଣି ଜମିବାରୁ ଏପରି ପରିସ୍ଥିତି ଉପୁଜୁଛି । ତେଣୁ ସରକାରୀ-ବେସରକାରୀ କାର୍ୟ୍ୟାଳୟ ଜରିମାନାରୁ ବାଦ୍ ପଡ଼ିବନି । ବିଏମ୍ସି କର୍ମଚାରୀ ସେଠାରେ ପହଞ୍ଚି ମଶା ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବ୍ୟବସାୟିକ ଅନୁଷ୍ଠାନରେ ମଧ୍ୟ ସମାନ ନିୟମ ଲାଗୁ କରାଯିବ ।