‘ଫ୍ଲାଇଂ କିସ୍’ ବିବାଦରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାହୁଲ ଗାନ୍ଧିଙ୍କ ପଛରେ ଫ୍ରେସ୍ ବିବାଦ । ସଂସଦରେ ବିଜେପିର ମହିଳା ସାଂସଦଙ୍କ ଉଦେ୍ଦଶ୍ୟରେ ଫ୍ଲାଇଂ କିସ୍ କରିଥିବା ଅଭିଯୋଗ । ମନ୍ତ୍ରୀ ସ୍ମୃତି ଇରାନୀ ପ୍ରଥମେ ଏହି ଅଭିଯୋଗ ଆଣିବା ପରେ ଏନଡିଏର ଅନ୍ୟ ମହିଳା ସଦସ୍ୟମାନେ ରାହୁଲଙ୍କ ବିରୋଧରେ ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଘଟଣା ଥିଲା ଏମିତି । ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଆଜି ରାହୁଲ ଭାଗ ନେଇଥିଲେ । ପ୍ରସ୍ତାବକୁ ସମର୍ଥନ କରି ମୋଦୀ ସରକାରଙ୍କ ବିରୋଧରେ ସେ ଖୁବ୍ ଜୋରରେ ବର୍ଷିଥିଲେ । ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ମଣିପୁର କାହିଁକି ଯାଇନାହାନ୍ତି ବୋଲି ପ୍ରଶ୍ନ କରିବା ସହ ମଣିପୁରରେ ଦେଶକୁ ହତ୍ୟା କରାଯାଇଛି ବୋଲି କହିଥିଲେ । ରାହୁଲଙ୍କ ଭାଷଣ ପରେ ତାଙ୍କୁ ଜବାବ ଦେବାକୁ ଉଠିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ରାହୁଲଙ୍କୁ କଡ଼ା ଭାଷା ଶୁଣାଇଲେ । ଶେଷକୁ ଏକ ଗୁରୁତର ଅଭିଯୋଗ ଆଣିଲେ । ରାହୁଲ ଗୃହ ଛାଡୁଥିଲା ବେଳେ ଟ୍ରେଜେରି ବେଞ୍ଚରେ ବସିଥିବା ମହିଳା ସାଂସଦମାନଙ୍କୁ ଚାହିଁ ଫ୍ଲାଇଂ କିସ୍ କରିଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କର ଖାନଦାନକୁ ପ୍ରଶ୍ନ କରିଥିଲେ । ସ୍ମୃତିଙ୍କ ପାଟିରୁ ଏହି ମନ୍ତବ୍ୟ ଖସିଲା ମାତ୍ରେ ବିଜେପିର ମହିଳା ସାଂସଦମାନେ ରାହୁଲଙ୍କ ବ୍ୟବହାର ଉପରେ ଆପତ୍ତି ଉଠାଇ ସିଧା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ । କାର୍ଯ୍ୟାନୁଷ୍ଠାନ ଦାବି କଲେ ।
ରାହୁଲଙ୍କର ତଥାକଥିତ ଫ୍ଲାଇଂ କିସ୍ କୁ ନେଇ ବିଜେପି ସାଂସଦମାନେ ଗଣମାଧ୍ୟମରେ ବୟାନବାଜି କରିଥିଲେ ମଧ୍ୟ ସ୍ମୃତି ଇରାନୀଙ୍କ ଛଡ଼ା ବୋଧହୁଏ କାହା ନଜରରେ ପଡ଼ି ନ ଥିଲା । ସିସିଟିଭି ଫୁଟେଜ୍ ରୁ ଖୋଜି ବାହାର କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ହେଲା । ସେପଟେ ରାହୁଲଙ୍କ ତଥାକଥିତ ଫ୍ଲାଇଂ କିସ୍ ଗଣମାଧ୍ୟମରେ ମୁଖ୍ୟ ଖବର ହୋଇ ପ୍ରଚାରିତ ହେଲା । ହେଲେ ଫୁଟେଜ୍ କାହାରି ପାଖରେ ନ ଥିଲା ।
ଫୁଟେଜ୍ ଖୋଜା ଚାଲିଥିବା ବେଳେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟା ଟୁଇଟରେ ୬ ସେକେଣ୍ଡର ଏକ ଭିଡିଓ ଛାଡ଼ିଥିଲେ । ସଂସଦରେ ରାହୁଲ ଲଫଙ୍ଗା କାମ କରୁଛନ୍ତି ବୋଲି ସେଥିରେ ଟିପ୍ପଣୀ ଦେଇଥିଲେ । ତେବେ ଏହି ଭିଡିଓରୁ ଘଟଣାର ସ୍ପଷ୍ଟତା ବାରି ହେଉ ନ ଥିଲେ ମଧ୍ୟ ତର୍କ ବିତର୍କ ବଢ଼ିଯାଇଛି ।
ସୂଚନା ଅନୁଯାୟୀ, ରାହୁଲଙ୍କର ଆଜି ରାଜସ୍ଥାନରେ କାର୍ଯ୍ୟକ୍ରମ ଥିଲା । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବକ୍ତବ୍ୟ ଦେଇସାରି ସେ ତରବରରେ ବାହାରି ଆସୁଥିଲେ । ସେତିକିବେଳେ ତାଙ୍କ ହାତରେ ଥିବା ଫାଇଲ୍ ରୁ କିଛି କାଗଜ ଖସିପଡ଼ିଥିଲା । ସେ ନଇଁପଡ଼ି କାଗଜ ତଳୁ ଗୋଟାଉଥିବା ବେଳେ ଟ୍ରେଜେରି ବେଞ୍ଚରେ ଥିବା ବିଜେପି ସଦସ୍ୟମାନେ ହସି ଦେଇଥିଲେ । ସେତିକିବେଳେ ରାହୁଲ କୁଆଡ଼େ ଫ୍ଲାଇଂ କିସ୍ କରିଥିଲେ ।
ଏହି ଘଟଣାକୁ ନେଇ ରାହୁଲଙ୍କ ବିରୋଧରେ ବିଜେପି ପକ୍ଷରୁ ଜୋରଦାର ଢ଼ଙ୍ଗରେ ଆକ୍ରମଣ ଆରମ୍ଭ ହୋଇଛି । ଆଲିଙ୍ଗନ, ଆଖିମିଟିକା ପରେ ଫ୍ଲାଇଂ କିସ୍ କଥା କୁହାଯାଇ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରାଯାଉଛି । ଅନ୍ୟପକ୍ଷରେ ଏହା ରାହୁଲଙ୍କୁ ବଦନାମ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି । ଲୋକସଭା ସଦସ୍ୟତା ଫେରିପାଇଥିବା ରାହୁଲଙ୍କୁ ମୋଦୀ ସରକାରଙ୍କ ପ୍ରବଳ ଭୟ ଥିବାରୁ ଏଭଳି ନାଟକ କରାଯାଇଥିବା କଂଗ୍ରେସ ନେତାମାନେ କହିଛନ୍ତି ।