ଅହଙ୍କାରୀ ବିଜେପି ଆରମ୍ଭରୁ ଏତେ, ଆଗକୁ କେତେ ?

ଅହଙ୍କାରୀ ବିଜେପି ଆରମ୍ଭରୁ ଏତେ, ଆଗକୁ କେତେ ?

ସରକାର ଗଢ଼ିବାର ମାସେ ବି ହୋଇନି, ହେଲେ ବିଜେପି ଅହଙ୍କାର ଦେଖାଇବା ଆରମ୍ଭ କରିଛି। ବିଜେପି କାର୍ଯ୍ୟକର୍ତାମାନେ ଅହଙ୍କାରୀ ହୋଇ ଏବେ ବିଶୃଙ୍ଖଳ ହୋଇଗଲେଣି । ଓଡ଼ିଶା ରାଜନୀତିକ ଇତିହାସରେ ଅନେକ ଘଟଣାର ସାକ୍ଷୀ ହେଉଛି ମାଷ୍ଟରକ୍ୟାଣ୍ଟିନ ଛକ । ହେଲେ ବିଜେପି ଯୁବମୋର୍ଚ୍ଚା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟିକରିଛି । କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାବେଳେ କଂଗ୍ରେସ ଭବନରେ ବିଜେପିର ଆତଙ୍କରାଜ ସମସ୍ତଙ୍କୁ ଚକିତ କରିଦେଇଛି  । ପ୍ରତିବାଦର ଗଣତାନ୍ତ୍ରିକ ତରିକା ବି ଭୁଲିଯାଇଛି । ମାଷ୍ଟରକ୍ୟାଣ୍ଟିନରେ ଅନେକ ଦଳର ପ୍ରତିବାଦ ସଭା ହୋଇଥାଏ। କିଏ କାହାର କୁଶ ପୁତ୍ତଳିକା ଦାହ କରେ ତ କିଏ ବିକ୍ଷୋଭ କରନ୍ତି  । ହେଲେ କୌଣସି ରାଜନୀତିକ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣର ନଜିର ନାହିଁ । କିନ୍ତୁ ବିଜେପିର ଯୁବନେତାମାନେ ଏଭଳି ଏକ କଳଙ୍କିତ ଇତିହାସ ଲେଖିଛନ୍ତି ।
ରାଜ୍ୟରେ ଦୀର୍ଘଦିନ ଧରି କଂଗ୍ରେସର ସରକାର ପ୍ରତିଷ୍ଠା ହୋଇଥିଲା। ସେତେବେଳେ କୌଣସି ଦଳୀୟ କାର୍ଯ୍ୟାଳୟ ଉପରେ କଂଗ୍ରେସ କର୍ମୀମାନେ ଆକ୍ରମଣ କରିନଥିଲେ । ତେବେ ବିଜେପିର ଏଭଳି ହୀନ କାମକୁ ବିଜୁ ଜନତା ଦଳ ବି ବିରୋଧ କରିଛି। ଅପରପକ୍ଷରେ ପୁଲିସ ସାମ୍ନାରେ ଏଭଳି ଅଗଣତାନ୍ତ୍ରିକ ଘଟଣା ଘଟିଥିଲେବି ପୁଲିସ ଚୁପ୍‌ ରହିଛି । ଅହଙ୍କାରୀ ବିଜେପି ଆରମ୍ଭରୁ ଏମିତି ଆଚରଣ ପ୍ରଦର୍ଶନ କରିଥିଲାବେଳେ ଆଗାମୀ ଦିନରେ କ’ଣ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  ।