ବିଜେପିର ଗୋଟିଏ ଆସନରେ ବଦଳିବେ ପ୍ରାର୍ଥୀ: ତୋମର

ବିଜେପିର ଗୋଟିଏ ଆସନରେ ବଦଳିବେ ପ୍ରାର୍ଥୀ: ତୋମର

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ । ସବୁ ଦଳରେ ଏବେ ଟିକେଟ କସରତ । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସବୁ ସିଟରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ବିଜେପି ପରିପ୍ରେକ୍ଷୀରେ ଏକ ବଡ଼ ଖବର ଆସିଛି । ତାହା ହେଲା ବିଜେପି ବର୍ତ୍ତମାନ ସୁଦ୍ଧା ୧୧୨ଟି ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହା ଭିତରୁ  ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି । ଏକଥା ଖୋଦ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର କହିଛନ୍ତି । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠାରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ବଦଳିପାରେ ବୋଲି ସେ କହିଛନ୍ତି ।

ପ୍ରକାଶ ଯେ ଗୋଟିଏ ପର୍ୟ୍ୟାୟରେ ୧୧୨ ବିଧାନସଭା ଓ ସମସ୍ତ ୨୧ ଲୋକ ସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଲାଣି। ବିଜେଡି ୩ଟି ପର୍ୟ୍ୟାୟରେ ଏ ପର୍ୟ୍ୟନ୍ତ ମୋଟ ୧୦୮ଟି ବିଧାନସଭା ଆସନ ଓ ୨୦ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଆହୁରି ୩୯ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନ(ବାଲେଶ୍ୱର) ପାଇଁ ଦଳ ଏ ପର୍ୟ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ।

କଂଗ୍ରେସ ମଧ୍ୟ ଏଯାଏଁ ୮ଟି ଲୋକ ସଭା ଏବଂ ୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଦୁଇଟି ଆସନ ଦଳ ମେଣ୍ଟକୁ ଛାଡ଼ି ଦେଇଛି। ଏହିପରି ମୋଟ ୪୯ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ବାକି ୧୩ ଲୋକ ସଭା ଏବଂ ୯୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।