କ୍ୟାମ୍ପସ କମିଟି ଗଢ଼ିବ ଛାତ୍ର ବିଜେଡି

କ୍ୟାମ୍ପସ କମିଟି ଗଢ଼ିବ ଛାତ୍ର ବିଜେଡି

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଛାତ୍ରଛାତ୍ରୀ କ୍ୟାମ୍ପସରେ ସେମାନଙ୍କ ନେତା ଚୟନରୁ ବଞ୍ଚିତ ହେବେ। ସମସ୍ୟା ସମ୍ପର୍କରେ ସ୍ବର ଉଠାଇବାକୁ କ୍ୟାମ୍ପସରେ କେହି ଛାତ୍ରନେତା ଗଢ଼ା ହେବେ ନାହିଁ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିବା ବେଳେ ବିଜୁ ଜନତା ଦଳ ତା’ର ଛାତ୍ର ଶାଖାର ସଂଗଠନକୁ କ୍ୟାମ୍ପସ୍‌ରେ ଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି। ସବୁ ଶିକ୍ଷାନୁଷ୍ଠାନରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍‌ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

କ୍ୟାମ୍ପସ କମିଟିରେ ମୋଟ ୨୬ଜଣ ସଦସ୍ୟ ରହିବେ। ଜଣେ ଲେଖାଏ ଆବାହକ ଓ ସହ ଆବାହକ ରହିବାକୁ ଥିବା‌ ବେଳେ ୪ଜଣ(୩ ଛାତ୍ର ଓ ଜଣେ ଛାତ୍ରୀ) ଲେଖାଏ କ୍ରୀଡ଼ା, ସାଂସ୍କୃତିକ, ସାମାଜିକ କର୍ୟ୍ୟକ୍ରମ ପ୍ରତିନିଧି, ହେଲ୍‌ପ ଡେକ୍ସ ପ୍ରତିନିଧି, ସୋସିଆଲ ମିଡିଆ ଇନ୍‌ଚାର୍ଜ ରହିବେ। ଜଣେ ହଷ୍ଟେଲ ସଂଯୋଜକ ରହିବାକୁ ଥିବା ବେଳେ ଦୁଇଜଣ ଡେ’ ସ୍କଲାର ସୋସାଇଟ୍‌ ସଦସ୍ୟ ରହିବେ। ଯେଉଁମାନେ କି କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମକୁ ସଫଳତାର ସହ କାର୍ୟ୍ୟକାରୀ କରିବା ଦିଗରେ କାର୍ୟ୍ୟ କରିବେ। ବୃକ୍ଷରୋପଣ, ରକ୍ତଦାନ ଶିବିର, ହେଲ୍‌ପ ଡେସ୍କ, ସ୍ବତନ୍ତ୍ର କ୍ୟାମ୍ପ କରିବେ। ଜଣେ ନିର୍ବାଚିତ ପ୍ରତିନିଧି କ୍ୟାମ୍ପସରେ ଯେଉଁ କାର୍ୟ୍ୟ କ‌ରନ୍ତି ଏମାନେ ତାହା କରିବେ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନି, ପିଲାଙ୍କ ସମସ୍ୟା, ଦୁର୍ନୀତିକୁ ପଦାକୁ ଆଣିବେ। ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହେବେ। ଅକ୍ଟୋବର ୩୦ ସୁଦ୍ଧା ରାଜ୍ୟର ସମସ୍ତ କ୍ୟାମ୍ପସରେ କମିଟି ଗଠନ କରିବାକୁ ଛାତ୍ର ବିଜେଡି ପକ୍ଷରୁ ଆଜି ଆୟୋଜିତ ଭର୍ଚୁଆଲ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।