ଭାଲୁ-ମଣିଷ ଲଢ଼େଇ: ୬ ବର୍ଷରେ ମଲେଣି ୧୧ ଭାଲୁ, ୬ ମଣିଷ

ନୂଆପଡ଼ା : ବଣ ପାହାଡ଼ ଘେରା ନୂଆପଡ଼ା ଜିଲ୍ଲାରେ ଭାଲୁ ଓ ମଣିଷ ମଧ୍ୟରେ ଲଢ଼େଇ ବର୍ଷ ବର୍ଷ ଧରି ଲାଗିରହିଛି। ସଂଘର୍ଷରେ କେତେବେଳେ ମଣିଷଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଭାଲୁର ଜୀବନ ଯାଉଛି। ଗତ ୬ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସୁଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଭାଲୁ-ମଣିଷ ସଂଘର୍ଷରେ ୧୧ଟି ଭାଲୁ ଓ ୬ ଜଣ ମଣିଷଙ୍କ ଜୀବନ ଯାଇଛି। ତଥାପି ଜିଲ୍ଲା ପ୍ରଶାସନ କି ବନ ବିଭାଗ ପକ୍ଷରୁ ଏହାର ଠୋସ୍ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ।
ନୂଆପଡ଼ା ଜିଲ୍ଲାର ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ରହିଛି। ପ୍ରାୟ ସବୁ ଗାଁକୁ ସଂଲଗ୍ନ ହୋଇ ରହିଛି ଛୋଟ ବଡ଼ ପାହାଡ଼। ସୁନାବେଡ଼ା ଅଭୟାରଣ୍ୟ ହେଉ କି ଛୋଟ ବଡ଼ ଜଙ୍ଗଲ ସବୁଠି ଭାଲୁ ସହ ଅନ୍ୟ ହିଂସ୍ର ପ୍ରାଣୀ ବସବାସ କରୁଛନ୍ତି। ଏଠାକାର ଜଙ୍ଗଲରେ ବହୁ ଗୁମ୍ପା ରହିଛି। ଭାଲୁ ରହିବା ପାଇଁ ଏହା ଉପଯୁକ୍ତ ସ୍ଥାନ। ଏଭଳି ସ୍ଥିତିରେ ଦିନକୁ ଦିନ ଭାଲୁ ବଂଶ ବୃଦ୍ଧି ପାଇବାରେ ଲାଗିଛି।
ଜିଲ୍ଲାର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ ଚାଷବାସ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏଭଳି ସ୍ଥିତିରେ ଚାଷଜମି ଓ ଜଙ୍ଗଲ ଯିବା ବାଟରେ ଲୋକେ ଭାଲୁ ହାବୁଡ଼ରେ ପଡ଼ୁଛନ୍ତି। ଗତ ରବିବାର ପୁଣି କୋମନା ଥାନା ବିରୁନପଦର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିଲେ।