ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ବଡ଼ ଖୁଲାସା
ଭୁବନେଶ୍ୱର: ହୃଦୟବିଦାରକ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ହୋଇଛି ବଡ଼ ଖୁଲାସା । ସିଗ୍ନାଲ୍ ତ୍ରୁଟିରୁ ହିଁ ଏତେବଡ଼ ଦୁର୍ଘଟଣା ଘଟିଗଲା ବୋଲି ଉଚ୍ଚସ୍ତରୀୟ ତଦନ୍ତରୁ ଜଣାପଡ଼ିଛି । ତଦନ୍ତରେ ସିଗ୍ନାଲିଂ ଏବଂ ଦୂରସଞ୍ଚାର ବିଭାଗ (ଏସ୍ଆଣ୍ଡ୍ଟି)ରେ ଅନେକ ସ୍ତରରେ ତ୍ରୁଟିବିଚ୍ୟୁତି ରହିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆହୁରି କୁହାଯାଇଛି ଯେ ଯଦି ପୂର୍ବର ଚେତାବନୀ ସଂକେତଗୁଡ଼ିକ ବାବଦରେ ସୂଚନା ଦିଆଯାଇଥାନ୍ତା, ତା’ହେଲେ ଏତେବଡ଼ ସଂକଟକୁ ଟାଳି ଦିଆଯାଇ ପାରିଥାନ୍ତା ।
ରେଳ ସୁରକ୍ଷା କମିଶନର (ସିଆର୍ଏସ୍)ଙ୍କ ଦ୍ୱାରା ରେଳ ବୋର୍ଡ ନିକଟରେ ଏହି ରିପୋର୍ଟ ଦାଖଲ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ସିଗ୍ନାଲିଂ କାର୍ୟ୍ୟରେ ଅଭାବବୋଧ ସତ୍ତେ୍ୱ ଏସ୍ଆଣ୍ଡ୍ଟି କର୍ମଚାରୀଙ୍କ ଦ୍ୱାରା ପ୍ରତିକାରାତ୍ମକ ପଦକ୍ଷେପ ନିଆଯାଇ ପାରିଥାନ୍ତା । ବାହାନଗା ବଜାର ଷ୍ଟେସନ ପ୍ରବନ୍ଧକଙ୍କ ଦ୍ୱାରା ଦୁଇଟି ସମାନାନ୍ତର ଟ୍ରାକ୍କୁ ଯୋଡ଼ୁଥିବା ସ୍ୱିଚ୍ର ବାରମ୍ବାର ଅସ୍ୱାଭାବିକ ବ୍ୟବହାର ବାବଦରେ ସୂଚନା ଦିଆଯାଇଥିଲେ, ହୁଏତ ଏସ୍ଆଣ୍ଡ୍ଟି କର୍ମଚାରୀମାନେ ଦୁର୍ଘଟଣାକୁ ଟାଳିପାରିଥାନ୍ତେ ।
ଏତଦ୍ବ୍ୟତୀତ ରିପୋର୍ଟରେ ଆହୁରି କୁହାଯାଇଛି ଯେ ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ୍ ଲିଫ୍ଟିଙ୍ଗ୍ ବ୍ୟାରିୟର୍କୁ ବଦଳାଇବା କାର୍ୟ୍ୟ ପାଇଁ ଷ୍ଟେସନ ବିଶିଷ୍ଟ ଅନୁମୋଦିତ ସର୍କିଟ (ଷ୍ଟେସନ୍ ସ୍ପେସିଫିକ୍ ଆପ୍ରୁଭ୍ଡ ସର୍କିଟ)ର ଯୋଗାଣ ନ କରାଯିବା ମଧ୍ୟ ଏକ ଭୁଲ ଥିଲା । ଯାହା କାରଣରୁ ତ୍ରୁଟିପୂର୍ଣ୍ଣ ୱେୟାରିଂ ହୋଇଥିଲା । ଏଥିରେ କୁହାଯାଇଛି ଯେ କ୍ଷେତ୍ରୀୟ ପର୍ୟ୍ୟବେକ୍ଷକଙ୍କ ଏକ ଟିମ୍ ୱେୟାରିଂ ସର୍କିଟ୍କୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇବାରେ ବିଫଳ ହୋଇଥିଲା ।




user1 