ନିର୍ମାଣ ହେଲା କୃତ୍ରିମ ସମୁଦ୍ର ବେଳାଭୂମି

ନିର୍ମାଣ ହେଲା କୃତ୍ରିମ ସମୁଦ୍ର ବେଳାଭୂମି

ସମୁଦ୍ର ବେଳାଭୂମି ଦେଖିବାକୁ ଯେତିକି ସୁନ୍ଦର ଲାଗେ,ବୁଲିବାକୁ ମଧ୍ୟ ଠିକ୍‌ ସେତିକି ଆନନ୍ଦପୂର୍ଣ୍ଣ । କିନ୍ତୁ କୃତ୍ରିମ ସମୁଦ୍ର ଉପକୂଳ ତିଆରି କରିବା କଥା କେହି କେବେ ଚିନ୍ତା କରି ନଥିବେ । ଏବେ ଏଭଳି କିଛି ହୋଇଛି ସ୍ପେନ୍‌ର କାନାରି ଦ୍ୱୀପରେ । ଏଠାରେ କୃତ୍ରିମ ଉପାୟରେ ଏକ ସମୁଦ୍ର ଉପକୂଳ ତିଆରି କରାଯାଇଛି । ‘ପ୍ଲାୟା ଡି ଲାସ୍‌ ଟେରେସିଟାସ୍‌’ ନାମକ ଏହି ଲୋକପ୍ରିୟ ଉପକୂଳଟି ଅତୀତରେ ପଥରଖଣ୍ଡ ଓ କୃଷ୍ଣକାୟ ଆଗ୍ନେୟ ବାଲୁକାରେ ପରିପୂର୍ଣ୍ଣ ଥିଲା ଏବଂ ଏହାର ଜଳରାଶି ଆଜି ପରି ଶାନ୍ତ ନଥିଲା । ଢେଉଗୁଡ଼ିକ ତଟସ୍ଥ ପ୍ରସ୍ତରରେ ଭୀଷଣ ବେଗରେ ପିଟି ହେଉଥିବାରୁ ଏହା ଏକ ବିପଜ୍ଜନକ ଉପକୂଳ ହୋଇ ରହିଥିଲା । ନିର୍ମାଣକାର୍ଯ୍ୟ ପାଇଁ ଏହାର ଆଖପାଖରୁ ବାଲି ସବୁ ଉତ୍ତେ।।ଳିତ ହୋଇଯିବା ସହ ସାଣ୍ଟାକ୍ରୁଜ ବନ୍ଦରର ସମ୍ପ୍ରସାରଣ ମଧ୍ୟ ଏହି ଉପକୂଳର କିଛି ଅଂଶ ମାଡ଼ି ବସିଲା । ତେଣୁ ୧୯୫୩ ମସିହାରେ ସାଣ୍ଟାକ୍ରୁଜ ନଗର ପରିଷଦ ଲାସ୍‌ ଟେରେସିଟାସ୍‌ରେ ଏକ କୃତ୍ରିମ ଉପକୂଳ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ଭୀଷଣ ଲହଡ଼ି ମାଡ଼ରୁ ଉପକୂଳକୁ ବଞ୍ଚାଇବା ପାଇଁ ସମୁଦ୍ର କୂଳଠାରୁ କିଛି ଦୂରରେ ପାଚେରି ସ୍ୱରୂପ ଏକ ବିଶାଳ ଆଡ଼ିବନ୍ଧ ପକାଗଲା । ସେହିପରି ଉପକୂଳରୁ ବାଲି ସମୁଦ୍ର ଗର୍ଭକୁ ବୋହିହୋଇ ନଯିବା ଲାଗି ତାହାକୁ ପାହାଚ ପରି କଟାଗଲା । ତା’ପରେ ସାହାରା ମରୁଭୂମିରୁ ପାଖାପାଖି ୨,୭୦,୦୦୦ ଟନ୍‌  ଧଳା ବାଲି ବୁହା ହୋଇ ଆସି ସେଠାରେ ପକାଗଲା । ଏହା ଦ୍ୱାରା ୧,୩୦୦ ମିଟର ଲମ୍ବ ଓ ୮୦ ମିଟର ଓସାରର ଏକ କୃତ୍ରିମ ଉପକୂଳ ନିର୍ମିତ ହୋଇଗଲା । ୧୯୭୩ ମସିହାରେ ଏହା ଲୋକାର୍ପିତ ହୋଇଥିଲା ଏବଂ ତାହା ପରଠାରୁ ଉକ୍ତ ଉପକୂଳ ସ୍ଥାନୀୟ ଅଧିବାସୀ ସମେତ ବହିରାଗତ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିବାରେ ଲାଗିଛି ।