ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପ୍ରମୋଦିନୀ
ଭୁବନେଶ୍ବର : ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ ୧୭ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ୨୦୦୯ ମସିହାରେ ତାଙ୍କ ଉପରେ ହୋଇଥିବା ଏସିଡ୍ ମାଡ଼ ତାଙ୍କ ଜୀବନକୁ ନର୍କ କରି ଦେଇଥିଲା। ବଡ଼ କଷ୍ଟ ଓ ଯନ୍ତ୍ରଣାକୁ ସେ ପଛ କରି ଏବେ ନୂଆ ଜୀବନ ଲାଭ କରିଛନ୍ତି। ଏ ପର୍ଯ୍ୟନ୍ତ ମଧ୍ୟ ସେ ଏସିଡ୍ର କରାଳ ରୂପକୁ ସହୁଥିଲେ ହେଁ ତାଙ୍କ ଜୀବନରେ ୨୦୧୪ ମସିହାରେ ସମାଜସେବୀ ସରୋଜ ସାହୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ।
ଶେଷରେ ୨୦୨୧ ମସିହା ମାର୍ଚ୍ଚ ୧ ତାରିଖରେ ସରୋଜ ତାଙ୍କ ହାତ ଧରି ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଏବେ ଆଉ ଏକ ଖୁସି ଖବର ପ୍ରମୋଦିନୀଙ୍କ ଜୀବନରେ ଆସିଛି। ଗତ ୧୭ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପ୍ରମୋଦିନୀଙ୍କ କହିବା କଥା, ପୁଅ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତାଙ୍କର ହିମୋଗ୍ଲୋବିନ୍ କମ୍ ଥିବାରୁ ଟିକିଏ ଦେହ ଅସୁସ୍ଥ ରହିଛି। ଏସିଡ୍ ତାଙ୍କ ଦେହକୁ ଜାଳି ଦେଇଥିଲା, ହେଲେ ତାଙ୍କର ମା’ ହେବାରେ କୌଣସି ଅସୁବିଧା ନଥିଲା। ହେଲେ ୨ଟି ଆଖି ଏସିଡ୍ରେ ନଷ୍ଟ ହେବା ପରେ ତାଙ୍କର ଗୋଟିଏ ଆଖି ଅପରେସନ୍ କରି ନୂଆ ଆଖି ଲଗା ଯାଇଥିଲା। ଫଳରେ ତାଙ୍କୁ ୨୦ ପ୍ରତିଶତ ଦେଖାଯାଉଥିଲା। ହେଲେ ଗର୍ଭଧାରଣର ୭ ମାସରେ ପ୍ରମୋଦିନୀଙ୍କ ଆଖିକୁ ପୁଣି ଦେଖା ଯାଇନଥିଲା। ସେ ୨ ମାସ ପାଇଁ ପୁଣି ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଗର୍ଭବତୀ ଥିବାରୁ କୌଣସି ଷ୍ଟେରଏଡ୍ କିମ୍ବା ଆନେସ୍ଥେସିଆ ବିନା ତାଙ୍କର ଆଖି ପୁଣି ଅପରେସନ୍ କରାଗଲା। ଏବେ ସେ ତାଙ୍କ ପୁଅକୁ ପାଖରୁ ଦେଖି ପାରୁଥିବାରୁ ବହୁତ ଖୁସି ବୋଲି କହିଛନ୍ତି।




admin 