କାର୍ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ସୋମବାର ପୂର୍ବାହ୍ନରେ କାର୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପରେ ତାଳପଦାସ୍ଥିତ ମାଣିକଲାଲ ମହିଳା କଲେଜର ଛାତ୍ରୀମାନେ ରାସ୍ତାରୋକୋରେ ସାମିଲ ହୋଇଛନ୍ତି। ଛାତ୍ରୀଜଣକ ଘରୁ କଲେଜ ଯାଉଥିବା ବେଳେ ନନ୍ଦପୁର ବଜାରରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀଜଣକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।