ସରିଲା ଖଣ୍ଡଗିରି ଯାତ୍ରା ମହାସମର

ସରିଲା ଖଣ୍ଡଗିରି ଯାତ୍ରା ମହାସମର

ଖଣ୍ଡଗିରି: ଆଉ ଶୁଭିବନି ଗରମାଗରମ ଓ ଲୁହବତୁରା ଲହରିଆ ସଂଳାପ। କିମ୍ବା ସେ ଶବ୍ଦରେ ଖଣ୍ଡଗିରି ପାହାଡ଼ଖୋଲ ଭିତରର ଐତିହାସିକ ଅନ୍ଧାରର ନିଦ ଭାଙ୍ଗିବନି ଆଉ ରାତିଅଧରେ। ଆଉ ଜମିବନି ହାଉଜାଉ ଭିଡ଼। କାଲିଠୁ ରାତିରେ ପୁଣି ଛାଇଯିବ ନିରବତା। ଆଖପାଖ ସାହି ଓ ଗାଁରୁ ନିଜ ଘରକୁ ବାହୁଡ଼ିଯିବେ କୁଣିଆ। ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ପ୍ରାୟ ୧୨ଦିନର ଯାତ୍ରା ଓ ୧୪ ଦିନର ମେଳା ପରେ ଗୁରୁବାର ଭୋରରୁ ଚଳିତ ବର୍ଷର ମହୋତ୍ସବରେ ପଡ଼ି ଯାଇଛି ଯବନିକା। ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ଶେଷରାତିରେ ଶେଷପରୀକ୍ଷା ଦେଇ ଫେରି ଯାଇଛନ୍ତି ୬ ଯାତ୍ରାପାର୍ଟି। କହିବା ଅନାବଶ୍ୟକ ଯେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏଇ ମହୋତ୍ସବରେ ପାଇଥିବା ଦର୍ଶକୀୟ ସମର୍ଥନ ଓ ପ୍ରଶଂସା ଆଧାରରେ ଯାତ୍ରାଦଳଗୁଡ଼ିକର ମୂଲ୍ୟାଙ୍କନ କରାଯିବ। ଏ ହେବ ସେମାନଙ୍କ ଦକ୍ଷତାର ସାର୍ଟିଫିକେଟ।

ମଉଚ୍ଛବ ଶେଷରେ ଏବେ କେଉଁ ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରିଲେ; ତାକୁ ନେଇ ସବୁଠି ଏବେ ଚର୍ଚ୍ଚା, ଆଲୋଚନା। ଏଥର ୧୨ଟି ରାତିରେ ୧୨ଟି ପାର୍ଟିରେ ୧୬ଟି ନାଟକ ପରିବେଷଣ କରିଛନ୍ତି। ଫେବ୍ରୁଆରି ୧୮ରୁ ଖଣ୍ଡଗିରି ଯାତ୍ରା ମୈଦାନରେ ୫ଟି ପାର୍ଟିରୁ ଯାତ୍ରା ମହାସମର ଆରମ୍ଭ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ୬ଟି ପେଣ୍ଡାଲ୍‌ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏକଥା ସ୍ବୀକାର କରାଯିବ ଯେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଉଭୟରେ ପାର୍ଟିମାନେ ଦର୍ଶକ ଟାଣିବାରେ ସକ୍ଷମ ହୋଇଥିଲେ।

ସମ୍ବର୍ଦ୍ଧନା ପର୍ବ

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ମହତାବ ପେଣ୍ଡାଲରେ ମହତାବ ସାଂସ୍କୃତିକ ପରିଷଦ ନିଜର ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିଥିଲା। କଳା ପ୍ରଦର୍ଶନ କରି ଲକ୍ଷଲକ୍ଷ ଦର୍ଶକଙ୍କୁ ମନୋରଂଜନ ଖୋରାଖ ଯୋଗାଇଥିବା ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକଙ୍କୁ ସ୍ବୀକୃତି ଦେବାପାଇଁ ପରିଷଦ ପକ୍ଷରୁ ଆଜି ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଥିଲା। ବିଧାୟକ ‌ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ଉପସ୍ଥିତ ରହି ଯାତ୍ରା ସମ୍ରାଟ ‘ତୁଳସୀ’ ଗଣନାଟ୍ୟ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ