ଯୁକ୍ତ ୨ରେ ୧,୩୧,୬୦୩ ସିଟ୍ ଖାଲି
ଭୁବନେଶ୍ୱର:ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡ଼ିଛି। ରାଜ୍ୟର ମୋଟ ୨,୧୬୭ଟି ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଓ ଜୁନିୟର କଲେଜରେ ଥିବା ୫ଲକ୍ଷ ୯ହଜାର ୩୭୩ଟି ସିଟ୍ ମଧ୍ୟରୁ ୩ଲକ୍ଷ ୭୭ହଜାର ୭୭୦ଟି ସିଟ୍ରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଥମ ଓ ଦ୍ୱିତୀୟ ଚୟନ ପ୍ରକ୍ରିୟା ପରେ ଖାଲିଥିବା ସିଟ୍ଗୁଡ଼ିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତ ୱେଟେଜ୍ (ଏନସିସି, ସ୍କାଉଟ୍, ଗାଇଡ୍ ଓ ସ୍ପୋର୍ଟସ) ଦାବିଦାର ଛାତ୍ରୀଛାତ୍ରଙ୍କୁ ବିଚାରକୁ ନିଆଯାଇ ଏକ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏବେ ଜଣାପଡ଼ିଛି, ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ କିଛି ଶିକ୍ଷାନୁଷ୍ଠାନରେ ବିଭିନ୍ନ ବର୍ଗ ପାଇଁ ଧାର୍ୟ୍ୟ ଆସନର ୧୦ ପ୍ରତିଶତରୁ କମ୍ ରହିଛି।