ସାକ୍ଷୀଗୋପାଳ ମନ୍ଦିର ପାଇଁ ୭ କୋଟିର ବ୍ୟୟ ଅଟକଳ

ସାକ୍ଷୀଗୋପାଳ ମନ୍ଦିର ପାଇଁ ୭ କୋଟିର ବ୍ୟୟ ଅଟକଳ

ପୁରୀ: ପର୍ୟ୍ୟଟନ ମାନଚିତ୍ରରେ ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ସ୍ଥାନ ସାକ୍ଷୀଗୋପାଳ ମନ୍ଦିରର ବିକାଶ ଲାଗି ରାଜ୍ୟ ସରକାର ଏକ ବୃହତ ପ୍ରକଳ୍ପ ହାତକୁ ନେଇଛନ୍ତି । ସାକ୍ଷୀଗୋପାଳ ମନ୍ଦିର ଓ ବକୁଳବନକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଯିବ । ମନ୍ଦିର ସାମ୍ନାରେ ଏକ ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବ । ଭକ୍ତ ଓ ପର୍ୟ୍ୟଟକମାନଙ୍କ ପାଇଁ ମନ୍ଦିରରେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ । ସେଥିପାଇଁ କେତେକ କାର୍ୟ୍ୟ କରାଯିବ ବୋଲି ଜଣାପଡ଼ିଛି । ଶନିବାର ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଏହି ବିକାଶର ଦାୟିତ୍ୱ ନେଇଛି । ଏଥିପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଶନିବାର ଓବିସିସିର ଏକ ପ୍ରତିନିଧି ଦଳ ଦୀର୍ଘ ୫ ଘଣ୍ଟା ଧରି ସାକ୍ଷୀଗୋପାଳ ମନ୍ଦିର ସାମ୍ନା, ଚାରିପଟ ଓ ବକୁଳବନକୁ ମାପଚୁପ କରିଛନ୍ତି । ଓବିସିସି ଅଧୀକ୍ଷଣ ଯନ୍ତ୍ରୀ ସୁନ୍ଦରମାଧବ ପାଢ଼ୀଙ୍କ କହିବା ଅନୁସାରେ ସାକ୍ଷୀଗୋପାଳ ମନ୍ଦିର ସାମ୍ନାକୁ ଓବିସିସିର ପ୍ରକଳ୍ପ ପରିଚାଳକ ଗିରିଜା ନାୟକ ଏବଂ ଅନ୍ୟ କର୍ମଚାରୀମାନେ ମାପଚୁପ କରିଛନ୍ତି । ସୌନ୍ଦର୍ୟୀକରଣ କାମ ଲାଗି ସାମ୍ନାରେ ଥିବା କିଛି ଦୋକାନକୁ ସ୍ଥାନାନ୍ତର କରାଯିବ । ସ୍ଥାନୀୟ ପ୍ରଶାସନକୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ଏହାପରେ ଗ୍ରାନାଇଟ୍‌ ଓ ଖଣ୍ଡେଲାଇଟ୍‌ ପଥରେ ସୌନ୍ଦର୍ୟୀକରଣ କାମ ସହିତ ବୃକ୍ଷରୋପଣ କରାଯିବ ।